
ସତ୍ୟଶିଖା (ଭୁବନେଶ୍ୱର) ୧୩/୦୨/୧୦୨୧ : ପର୍ବପର୍ବାଣୀ ହେଉ କିମ୍ବା କୌଣସି ଉତ୍ସବ ସବୁ ସମୟରେ ଆକର୍ଷଣ ଦେଖାଯିବା ପାଇଁ ସମସ୍ତଙ୍କ ରହିଛି ସ୍ବତନ୍ତ୍ର ରୁଚି । ନୂଆ ଡ଼ିଜାଇନ୍ର ପୋଷାକ ସହ ନ୍ୟୁଲୁକ୍ରେ ନିଜକୁ ଉପସ୍ଥାପନ କରିବା ପାଇଁ ସଭିଙ୍କ ମନରେ ଥାଏ ଅଫୁରନ୍ତ ଉତ୍ସାହ । ଉଭୟ ପୁରୁଷ ଓ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ନିମନ୍ତେ ଫ୍ୟାସନ୍ ଡ଼ିଜାଇନର୍ମାନେ ପ୍ରସ୍ତୁତ କରିଥାନ୍ତି ଭଳିକି ଭଳିର ଡ୍ରେସ୍ ଡ଼ିଜାଇନ୍ । ଏହି ଡ଼ିଜାଇନ୍ ଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ପ୍ରିଲ୍ୟୁଡ଼୍, ଆକ୍ଡ଼ିକ୍ସନ୍ ଏବଂ ଫ୍ୟାସନ୍ ମ୍ୟାନେଜ୍ମେଣ୍ଟର ମିଳିତ ସହଯୋଗରେ ଭୁବନେଶ୍ୱର ରନ୍ୱେ ୱିକ୍ର ଚତୁର୍ଥ ସଂସ୍କରଣ ଓ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛଅ ଜଣ ଡ଼ିଜାଇନ୍ର ନିଜର ବିଭିନ୍ନ ଡ଼ିଜାଇନ୍ର ପୋଷାକ ପ୍ରଦର୍ଶନ କରିଥିଲେ । ଏହାସହ ଜଣେ ଗହଣା ଡ଼ିଜାଇନର୍ ନୂଆ ଡ଼ିଜାଇନ୍ର ଅଳଙ୍କାର ଡ଼ିଜାଇନ୍ ପରିବେଷଣ କରିଥିଲେ । ଭୁବନେଶ୍ୱର ରନ୍ୱେ ୱିକ୍ର ନିର୍ଦେଶକ ଜନ୍ ଅଜୟଙ୍କ ନିର୍ଦେଶନାରେ ଯୋଗଦେଇଥିବା ଡ଼ିଜାଇନର୍ମାନଙ୍କ ମଧ୍ୟରେ ପାରୁଲ୍ ଖଇତାନ୍ ଲେବେଲ୍ର ଡ଼ିଜାଇନର୍ ପାରୁଲ୍ ଖଇତାନ୍ ଛୋଟ ପିଲାଙ୍କ ନିମନ୍ତେ ପ୍ରସ୍ତୁତ କରିଥିବା ଡ୍ରେସ୍ ଡ଼ିଜାଇନ୍ ‘ଟ୍ୟୁଙ୍କିଲ୍ ଟ୍ୟୁଙ୍କିଲ୍ ଲିଟିଲ୍ ଷ୍ଟାର’ ପ୍ରଦର୍ଶନ କରିଥିଲେ ।
ଏହା ସହିତ ଲେବେଲ୍ ଋତୁପର୍ଣ୍ଣା ବ୍ରାଣ୍ଡ୍ର ଡ଼ିଜାଇନର୍ ମନିଷା ଋତୁପର୍ଣ୍ଣା ନିଜର ବ୍ରାଣ୍ଡ୍ ‘ତକ୍ଷ୍ୟଶୀଳା’, ଜୁବିସ୍ ଡ଼ିଜାଇନ୍ର ହାଉସ୍ର ଜୁବିନା ଅଲ୍ଲିଙ୍କ ଦ୍ୱାରା ‘ନଜାକତ୍ ୨୦୨୧’ ପ୍ରଦର୍ଶନ କରାଯାଇଥିଲା; ଏଥିରେ ଭାରତୀୟ ସଂସ୍କୃତିର ଛାପ ଦେଖିବାକୁ ମିଳିଥିଲା । କୋଭିଡ଼୍ କଟକଣା ହେତୁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଥିବା ବେଳେ ଫେସନ୍ ଫିଟ୍ର ଡ଼ିଜାଇନର୍ ଶେଫାଳୀ ଉଦ୍ଗତାଙ୍କ ଦ୍ୱାରା ପ୍ରସ୍ତୁତ ଫେସନ୍ ଫିଟ୍ ଡ଼ିଜାଇନ୍ରେ ଓଡ଼ିଶା ହସ୍ତତନ୍ତ ଓ ପାଶ୍ଚାତ୍ୟ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା । ଏହା ସହ ପୋସ୍ ଆଫାୟାର୍ର୍ସର ଡ଼ିଜାଇନର୍ ରୋଶନ୍ ଏବଂ ଧିନେନ୍ଦ୍ରଙ୍କ ଦ୍ୱାରା ‘ଲେବେଲ୍ ପୋସ୍ ଆଫାୟାରାର୍ସ’ ଡ଼ିଜାଇନ୍ ସୋକେସ୍ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇନାୟା ଜୁଏଲ୍ର ଡ଼ିଜାଇନର୍ କୋମଲ୍ ଖଣ୍ଡେଲୱାଲ୍ଙ୍କ ଦ୍ୱାରା ଅଳଙ୍କାର ଡ଼ିଜାଇନ୍ ‘ଇନାୟା’ ପ୍ରଦର୍ଶିତ କରାଯାଇଥିଲା । ପରିଶେଷରେ ଆଇଏନ୍ଆଇଏଫ୍ଡ଼ିର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଡ଼ିଜାଇନ୍ର ସମର୍ କଲେକ୍ସନ୍ ପ୍ରଦର୍ଶନ କରାଯାଇଥିଲା ଯାହାକି ଦର୍ଶକଙ୍କୁ ବିମୋହିତ କରିଥିଲା ।






