ସତ୍ୟଶିଖା (ଭୁବନେଶ୍ୱର) ୨୯/୧୨/୨୦୨୦ : କ୍ୟାପିଟାଲ ହସ୍ପିଟାଲରେ ଥିବା ପୁଲିସ ଫାଣ୍ଡି ଅନ୍ୟତ୍ର ସ୍ଥାନାନ୍ତର ହେବ । ଫାଣ୍ଡିଟି ଏବେ ହସ୍ପିଟାଲର ଗୃହରେ କାର୍ଯ୍ୟ କରୁଥିବା ବେଳେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ । ସାଇକେଲ ଷ୍ଟାଣ୍ଡ ନିକଟରେ ୨ ମହଲା ବିଶିଷ୍ଟ ଫାଣ୍ଡି ନିର୍ମାଣ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଟଙ୍କା ଦିଆଯାଇଥିବା ଓ ପୂର୍ବରୁ ଚାଲିଥିବା ଫାଣ୍ଡି ପାଇଁ ଜାଗାର ଅଭାବ ଯୋଗୁଁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଲାଗି କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ ସଦସ୍ୟ ବୈଠକରେ ନିଷ୍ପତ୍ତି ହୋଇଛି ।
ଏହାସହ ହସ୍ପିଟାଲରେ କୋଭିଡ୍ ଆଇସିୟୁ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଥିଲେ ହେଁ, ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ହୋଇପାରି ନାହିଁ । ପ୍ଲାଣ୍ଟ ପ୍ରତିଷ୍ଠା ହେବା ସ୍ଥାନ ଜବରଦଖଲରେ ରହିଛି । ଜବରଦଖଲ ଉଚ୍ଛେଦକୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । କିଭଳି ଜବରଦଖଲ ହଟିବ ସେଥିପାଇଁ ବୈଠକରେ ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ ହସ୍ପିଟାଲ ପରିସରରେ ଥିବା ୟୁଟିଲିଟି କମ୍ପ୍ଲେକ୍ସକୁ ସଂପ୍ରସାରିତ କରିବା ଲାଗି ଯୋଜନା କରାଯାଇଛି । ଏହି ବୈଠକରେ ଖୋର୍ଧା ଜିଲ୍ଲାପାଳଙ୍କ ସମେତ ହସ୍ପିଟାଲ ନିର୍ଦେଶକ, ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଓ ଅନ୍ୟମାନେ ସାମିଲ ହୋଇଥିଲେ ।