

ସତ୍ୟଶିଖା ୦୭/୧୦/୨୦୨୫: ଶ୍ରୀକ୍ଷେତ୍ରରେ ଥିବା ହବିଷ୍ୟାଳି ମାନେ ସଂକଳ୍ପ କରି ଆଜିଠାରୁ ଚଉଁରା ମୂଳେ ରାଧାଦାମୋଦର ପୂଜା ସହ ହବିଷ୍ୟ ବ୍ରତ ପାଳନ କରିବା ଆରମ୍ଭ କରିଛନ୍ତି। ତେବେ ଆଜି ସନ୍ଧ୍ୟାରେ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳୀ ବ୍ରତ ୨୦୨୫ ର ଶୁଭାରମ୍ଭ କରାଯିବ। ଏହି ଅବସରରେ ବରିଷ୍ଠ ମନ୍ତ୍ରୀ ମାନଙ୍କ ସହିତ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ବ୍ରତରେ ହବିଷ୍ୟାଳୀମାନେ ଚଉଁରା ମୂଳେ ରାଧାଦାମଦର ପୂଜା କରିବା ସହ ହବିଷ୍ୟ ବ୍ରତ ପାଳନ କରିବା ଆରମ୍ଭ କରିଛନ୍ତି।
ଶ୍ରୀକ୍ଷେତ୍ର ପୁରୀରେ ଏହି ବ୍ରତ ପାଳନର ବିଶେଷ ମହତ୍ତ୍ୱ ଥିବାରୁ ହବିଷ୍ୟାଳି ମାନଙ୍କ ଭିଡ ଜମିଛି ପୁରୀରେ । ରାଜ୍ୟ ସରକାରଙ୍କ ପକ୍ଷରୁ ଅଢେଇ ହଜାର ବ୍ରତ ଧାରିଣୀଙ୍କ ପାଇଁ ମାଗଣାରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିସହ ମହାପ୍ରସାଦ ସେବନ, ସ୍ବାସ୍ଥ୍ୟ ସେବା ଓ ଶ୍ରୀଜୀଉଙ୍କ ଦର୍ଶନ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଇଛି। ଅନ୍ୟପଟେ ପୁରୀରେ ଥିବା ବିଭିନ୍ନ ମଠବାଡ଼ି, ଧର୍ମଶାଳାରେ ମଧ୍ୟ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଜମିଛି।
ବିଶେଷ କରି ବୃନ୍ଦାବତୀ ନିବାସ, ନରେନ୍ଦ୍ର କୋଣ, ରେଲୱେ କଲ୍ୟାଣ ମଣ୍ଡପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ରହଣି କରିବେ ହବିଷ୍ୟାଳି । ସେହିଭଳି ହବିଷ୍ୟାଳୀଙ୍କ ରହଣି ସ୍ଥାନରେ ପୋଲିସର ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି । ଶ୍ୱେତଗଙ୍ଗା, ମାର୍କଣ୍ଡେଶ୍ୱର ଓ ନରେନ୍ଦ୍ର ପୁଷ୍କରିଣୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ବି ହୋଇଛି ।






