ଦେଶନ୍ୟୁଜ୍ବିଦେଶରାଜ୍ୟସ୍ପେଶାଲ୍ ରିପୋର୍ଟ

ଲିଭ୍-ଇନ୍‌ରେ ରହୁଥିବା ଯୁବତୀଙ୍କୁ ସୁରକ୍ଷା ଦେବାକୁ ପୋଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସତ୍ୟଶିଖା (ଆହ୍ଲାବାଦ) ୪/୧୧/୨୦୨୦ : ଆହ୍ଲାବାଦ ହାଇକୋର୍ଟ ଦୁଇ ମହିଳାଙ୍କ ପାଇଁ ଲିଭ-ଇନ-ରିଲେସନକୁ ନେଇ ସମାଜରେ ହେଉଥିବା ବିରୋଧ ଉପରେ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ସମାଜର ନୈତିକତା କୋର୍ଟଙ୍କ ରାୟକୁ ପ୍ରଭାବିତ କରିପାରିବ ନାହିଁ । ସାମ୍ବିଧାନିକ ନୈତିକତା ଓ ଲୋକଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରିବା କୋର୍ଟଙ୍କ ଦାୟିତ୍ତ୍ୱ । କୋର୍ଟ ପୋଲିସ ଶାମଲି ଅଧିକ୍ଷକଙ୍କୁ ଆବେଦନକାରୀଙ୍କୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ଯେ ସେମାନଙ୍କୁ ହଇରାଣ ନ କରାଯାଉ ।

ନ୍ୟାୟମୂର୍ତ୍ତି ଶଶିକାନ୍ତ ଗୁପ୍ତା ଓ ପଙ୍କଜ ଭାଟିଆଙ୍କ ଖଣ୍ଡପୀଠ ସୁଲତାନ ମିର୍ଜା ଓ କିରନ ରାଣୀଙ୍କ ଆବେଦନ ଶୁଣାଣିରେ ଏହି ଆଦେଶ ଦେଇଛନ୍ତି । ଆବେଦନକାରୀ କହିଛନ୍ତି ଯେ, ସେମାନେ ବୟସ୍କ ଏବଂ ଚାକିରୀ କରୁଛନ୍ତି । ବହୁ ଦିନ ହେଲା ସେମାନେ ଲିଭ-ଇନରେ ରହୁଛନ୍ତି । କିନ୍ତୁ ପରିବାରଲୋକ ଓ ସମାଜ ଏହାକୁ ବିରୋଧ କରୁଛି । ସେମାନଙ୍କୁ ହଇରାଣ ହରକତ କରାଯାଉଛି । ଅଭିଯୋଗ ସତ୍ତ୍ୱେ ପୋଲିସ ଠାରୁ କୌଣସି ସୁରକ୍ଷା ମିଳିନାହିଁ । ସେ ଯୁକ୍ତି ବାଢ଼ିଛନ୍ତି ଯେ ବିଶ୍ୱର ଅନେକ ଦେଶ ସମେତ ସୁପ୍ରିମକୋର୍ଟ ନବତେଜ ସିଂହ ଜୋହର ମାମଲାରେ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ଦେଇଛନ୍ତି । ଲିଭ-ଇନ୍ ସମ୍ପର୍କକୁ ମଧ୍ୟ ବୈଧ ବୋଲି କହିଛନ୍ତି ।ନ୍ୟାୟମୂର୍ତ୍ତି ଶଶିକାନ୍ତ ଗୁପ୍ତା ଓ ପଙ୍କଜ ଭାଟିଆଙ୍କ ଖଣ୍ଡପୀଠ ସେକ୍ସକୁ ଜୀବନର ଅଧିକାରର ଅଂଶୀଦାର ଦର୍ଶାଇ କହିଛନ୍ତି ଯେ ସେମାନଙ୍କୁ ନିଜ ଜୀବନ ବଞ୍ଚିବାକୁ ଅଧିକାର ଅଛି । ଧାରା ୨୧ ଅନ୍ତର୍ଗତ ଯୌନ ଆଭିମୁଖ୍ୟ (sexual orientation )ର ଅଧିକାର ଅନ୍ତର୍ଭୁକ୍ତ । ଅଦାଲତ ନିଜ ଆଦେଶରେ କହିଛନ୍ତି ଯେ ସାମ୍ବିଧାନିକ ଅଧିକାର ରକ୍ଷା କରିବା କୋର୍ଟଙ୍କ ଦାୟିତ୍ୱ । ଏହାସହ କୋର୍ଟ ଶାମଲି ପୋଲିସକୁ ଉଭୟ ଆବେଦନକାରୀଙ୍କୁ ପୁରା ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Show More
Back to top button