କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ସତର୍କ କଲା ସ୍ଵାସ୍ଥ୍ୟ ବିଭାଗ

ସତ୍ୟଶିଖା (ଭୁବନେଶ୍ୱର) ୨୩ /୧୨/୨୦୨୦ : ବ୍ରିଟେନ୍‌ରେ ଦେଖା ଦେଇଥିବା କରୋନା ଭୂତାଣୁ ବା ସାର୍ସ କୋଭ-୨ର ନୂଆ ଷ୍ଟ୍ରେନ୍‌ (ବି.୧.୧.୭)କୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ବ୍ରିଟେନ୍‌ରୁ ଓଡ଼ିଶା ଫେରିଥିବା ଯାତ୍ରୀଙ୍କ ଲାଗି ୧୪ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନା ଭୂତାଣୁର ଏହି ନୂଆ ଷ୍ଟ୍ରେନ୍‌ ପୂର୍ବ ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଥିବାରୁ କେନ୍ଦ୍ର ସ୍ଵାସ୍ଥ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଜାରି ନିର୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ଲାଗି କୁହାଯାଇଛି । ଏନେଇ ସ୍ଵାସ୍ଥ ବିଭାଗ ପକ୍ଷରୁ ଆଜି ବିଏମ୍‌ସି, କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର, ଝାରସୁଗୁଡ଼ା ବିମାନବନ୍ଦର କର୍ତୃପକ୍ଷ, ଝାରସୁଗୁଡ଼ା ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ନିର୍ଦେଶ ଦିଆଯାଇଛି । ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ବ୍ରିଟେନ୍‌ରୁ ଫେରୁଥିବା ଯାତ୍ରୀଙ୍କ ଜରିଆରେ କରୋନା ଭୂତାଣରୁ ନୂଆ ଷ୍ଟ୍ରେନ୍‌ ଯଦି ଓଡ଼ିଶାକୁ ଆସେ, ତାହାଲେ ରାଜ୍ୟ ପାଇଁ ବିପଦ ସୃଷ୍ଟି କରିପାରେ । ତେଣୁ ଗତ ୧୪ଦିନ ଭିତରେ ଓଡ଼ିଶା ଫେରିଥିଲେ ସ୍ବଘୋଷଣା ଫର୍ମ ବା ସେଲ୍‌ଫ ଡିକ୍ଲାରେସନ୍ ଦେବାକୁ ହେବ । ୧୪ ଦିନ ପାଇଁ ସଙ୍ଗରୋଧରେ ରହିବା ସହିତ ରାପିଡ୍‌ ରେସପନ୍‌ସ ଟିମ୍ ସେମାନଙ୍କର ସ୍ଵାସ୍ଥବସ୍ଥା ଉପରେ ନଜର ରଖିବେ । ସଙ୍ଗରୋଧ ରହିବା ସମୟରେ କୌଣସି ବ୍ୟକ୍ତିଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକାଶ ପାଏ, ତାହାଲେ ତାଙ୍କର ଆରଟି-ପିସିଆର ପରୀକ୍ଷା କରାଯିବ । ଯଦି ସଂପୃକ୍ତ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୁଅନ୍ତି, ତାହାଲେ ସରକାରୀ ସଙ୍ଗରୋଧ ବ୍ୟବସ୍ଥାରେ ରଖାଯିବା ସହ ପ୍ରୋଟୋକଲ ଅନୁସାରେ ଚିକିତ୍ସା କରାଯିବ । ସଂପୃକ୍ତ ବ୍ୟକ୍ତିଙ୍କ ଜିନ୍ ଅନୁଶୀଳନ କରାଯିବ । ଅପରପକ୍ଷରେ ନେଗେଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ ୧୪ଦିନ ଲାଗି ଗୃହ ସଙ୍ଗରୋଧରେ ରହିବାକୁ ପଡ଼ିବ ବୋଲି ସ୍ଵାସ୍ଥ ବିଭାଗ ପକ୍ଷରୁ କୁହାଯାଇଛି ।କେନ୍ଦ୍ର ସ୍ଵାସ୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏସ୍‌ଓପିରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି ସଙ୍ଗରୋଧରେ ପଜିଟିଭ୍ ଚିହ୍ନଟ ହୁଅନ୍ତି ଓ ଜିନ୍ ଅନୁଶୀଳନରେ ତାଙ୍କଠାରେ ନୂତନ ଷ୍ଟ୍ରେନ୍ (ବି.୧.୧.୭) ଥିବା ଜଣାପଡ଼ିବ, ତାହାଲେ ତାଙ୍କୁ ଅଲଗା ସଙ୍ଗରୋଧ‌ କେନ୍ଦ୍ରରେ ରଖାଯିବ । ଏପରିକି ପଜିଟିଭ୍ ଚିହ୍ନଟ ହେବାର ୧୪ତମ ଦିନରେ ସଂପୃକ୍ତ ବ୍ୟକ୍ତିଙ୍କ ନମୁନା ଯଦି ପୁନର୍ବାର ପଜିଟିଭ୍‌ ଜଣାପଡ଼େ, ତାହାଲେ ନେଗେଟିଭ୍ ରିପୋର୍ଟ ପାଇଁ ୨୪ ଘଣ୍ଟାରେ ୨ଥର ନମୁନା ସଂଗ୍ରହ କରାଯିବ । ଚଳିତମାସ ୨୧-୨୩ ତାରିଖ ମଧ୍ୟରେ ବ୍ରିଟେନ୍‌ରୁ ଫେରିଥିବା ଯେଉଁ ଯାତ୍ରୀମାନଙ୍କର ଆରଟି-ପିସିଆର ନମୁନା ନେଗେଟିଭ୍‌ ରହିଛି, ସେମାନଙ୍କର ତାଲିକା ଆଇଡିଏସ୍‌ପି ଜରିଆରେ କେନ୍ଦ୍ରକୁ ପଠାଇବାକୁ କୁହାଯାଇଛି । ତେବେ ଯେଉଁ ବ୍ୟକ୍ତିମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସରକାରୀ ସଙ୍ଗରୋଧ ବ୍ୟବସ୍ଥାରେ ରଖିବା ସହ ଆଇସିଏମ୍‌ଆର ପକ୍ଷରୁ ଜାରି ନିର୍ଦେଶାବଳୀ ଅନୁସାରେ ପରୀକ୍ଷା କରାଯିବ ।ସେହିପରି ୨୫ ନଭେମ୍ବର ଓ ୮ ଡିସେମ୍ବର ମଧ୍ୟରେ ବ୍ରିଟେନ୍‌ରୁ ଫେରିଥିବା ବ୍ୟକ୍ତିଙ୍କୁ ଜିଲ୍ଲା ଯାଞ୍ଚ ଅଧିକାରୀ ଚିହ୍ନଟ କରିବା ସହିତ ସେମାନଙ୍କ ସ୍ଵାସ୍ଥ ଉପରେ ନଜର ରଖିବେ । ଫେରିବାର ୨୮ଦିନ ଭିତରେ ଯଦି ସେମାନଙ୍କ ମଧ୍ୟରୁ କାହାର ଶରୀରରେ ଜ୍ୱର, କାଶ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହେବା ଭଳି ଲକ୍ଷଣ ପ୍ରକାଶ ପାଏ, ତାହାଲେ ଆରଟି-ପିସିଆର ପରୀକ୍ଷା ସହିତ ପଜିଟିଭ୍‌ଙ୍କ ଜିନ୍ ଅନୁଶୀଳନ କରାଯିବ । ବ୍ରିଟେନ୍‌ରୁ ଫେରିଥିବା ଯାତ୍ରୀ ଯେ କୌଣସି ରାଜ୍ୟକୁ ଯାଉଥିଲେ, ତାଙ୍କ ସଂପର୍କରେ ସଂପୃକ୍ତ ରାଜ୍ୟର ସ୍ଵାସ୍ଥ ବିଭାଗର ଅଧିକାରୀଙ୍କୁ ସୂଚନା ଦିଆଯିବ । ମାତ୍ର ଯଦି ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ରାଜ୍ୟ ସରକାର ବିଫଳ ହୁଅନ୍ତି, ତେବେ ତୁରନ୍ତ ଏ ସଂପର୍କରେ ଆଇଡିଏସ୍‌ପି ଜରିଆରେ କେନ୍ଦ୍ରୀୟ ନିରୀକ୍ଷଣ ୟୁନିଟ୍‌କୁ ସୂଚନା ଦେବାକୁ କୁହାଯାଇଛି ।

Exit mobile version