ଅପରାଧନ୍ୟୁଜ୍ଶିକ୍ଷା

କୋମଳପତି ପିଲାଙ୍କୁ ରଡ଼ରେ ପିଟିଲେ ପ୍ରଧାନଶିକ୍ଷୟିତ୍ରୀ

ସତ୍ୟଶିଖା( କାମାକ୍ଷାନଗର )୦୧.୧୦.୨୦୨୨:  ଦଣ୍ଡ ମୁକ୍ତ ଅଞ୍ଚଳରେ ଦିଆଯାଉଛି ଅକଥନୀୟ ଦଣ୍ଡ । ଆଖିରୁ ଲୁହ ଝରାଉଛନ୍ତି କୋମଳମତି ପିଲା। ଛୋଟ ଛୋଟ ପିଲାଙ୍କୁ ବୁଝାଇଶୁଝାଇ ପାଠ ପଢ଼ାଇବା ବଦଳରେ ସେମାନଙ୍କୁ ଲୁହା ରଡରେ ପିଟିଛନ୍ତି ଖୋଦ ପ୍ରଧାନଶିକ୍ଷୟିତ୍ରୀ। ଏଥିସହ ଏସିଡ ପକାଇ ମାରିଦେବାର ଧମକ ବି ଦେଉଛନ୍ତି । ଫଳରେ ଅସହ୍ୟ ଯନ୍ତ୍ରଣା ସାଙ୍ଗକୁ ମାନସିକ ରୂପେ ଭାଙ୍ଗି ପଡ଼ିଥିବା ଛଟଛଟ ଛୋଟ ପିଲା ଆଉ ସ୍କୁଲ ଯିବାକୁ ମଙ୍ଗୁ ନାହାନ୍ତି।

ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପୁରୁଣାରେକୁଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟିଛି।  ତୁରନ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପଲତା ଶତପଥୀଙ୍କ  ବଦଳି କରା ନ ଗଲେ ସ୍କୁଲରେ ତାଲା ପକାଇବା ସହ ପିଲାଙ୍କୁ ଆଉ ପାଠ ପଢ଼ିବାକୁ ଛାଡ଼ିବେନି ବୋଲି କହିଛନ୍ତି ଅଭିଭାବକ ।

ସୂଚନାଯୋଗ୍ୟ, ଗତକାଲି ପ୍ରଧାନଶିକ୍ଷୟିତ୍ରୀ ପଞ୍ଚମ ଶ୍ରେଣୀକୁ ଯାଇଥିବା ବେଳେ ସେଠାରେ କୌଣସି କାରଣକୁ ନେଇ କ୍ରୋଧିତ ହୋଇପଡ଼ିଥିଲେ। ଏହାପରେ ଏକ ଲୁହା ରଡ଼ ଆଣି ପିଲାଙ୍କୁ ଆଖି ବୁଜା ପିଟିବାକୁ ଲାଗିଲେ।

ସ୍କୁଲ ଛୁଟି ପରେ ପିଲାମାନେ କାନ୍ଦି କାନ୍ଦି ଘରେ ସବୁ କଥା କହିଥିଲେ। ଏହାପରେ ଉତ୍ତ୍ୟକ୍ତ ଅଭିଭାବକମାନେ ସ୍କୁଲ ଘେରିବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅଟକ ରଖିଥିଲେ । ତୁରନ୍ତ ଏହି ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି କରା ନ ଗଲେ ପିଲାଙ୍କୁ ଆଉ ସ୍କୁଲ ଛାଡ଼ିବେନି ବୋଲି ଖୋଲାଖୋଲି ଭାବେ କହିଥିଲେ।

Show More
Back to top button