ସତ୍ୟଶିଖା (ଭୁବନେଶ୍ୱର) ୧୧/୦୨/୨୦୨୧ : ଭୁବନେଶ୍ୱର ଆନ୍ଧାରୁଆ-ଦାସପୁର ରାସ୍ତାରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାର ହେଲା ପର୍ଦ୍ଦାଫାଶ । ବିବାହକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଘଟିଥିଲା ହତ୍ୟାକାଣ୍ଡ । ଏ ନେଇ ପ୍ରେସମିଟ୍ ରେ ପୋଲିସ କମିଶନର ସୁଧାଂଷୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ପୋଲିସ କମିଶନରଙ୍କ ସୂଚନା ଅନୁସାରେ ମୃତ ମହିଳା ଜଣଙ୍କ ହେଉଛନ୍ତି ପୁଷ୍ପଲତା ରାଉଳ । ତାଙ୍କ ବୟସ ୨୮ ବର୍ଷ । ସେ ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ଧୀରକୁଟ ବସ୍ତିରେ ରହୁଥିଲେ । ମହିଳାଙ୍କ ଶବକୁ ତାଙ୍କ ପରିବାରଲୋକ ଚିହ୍ନଟ କରିଥିଲେ । ମହିଳାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ସେ ସଞ୍ଜୟ ଓରଫ ଅଙ୍ଗତ ଦାସ ନାମକ ଜଣେ ବ୍ୟକ୍ତିଙ୍କ ସଂପର୍କରେ ଆସିଥିଲେ । ପୂର୍ବରୁ ସଞ୍ଜୟ ପୁଷ୍ପଲତାଙ୍କ ଘରେ ରହୁଥିଲେ । ଗତ ୬ ବର୍ଷ ହେବ ପୁଷ୍ପଲତା ସଞ୍ଜୟଙ୍କୁ ଜାଣିଥିଲେ । ପରେ ପୁଷ୍ପଲତା ତାରିଣୀନଗର ବସ୍ତିରେ ନିଜେ ଏକ ଘରେ କରି ଏକା ରହିବାକୁ ଲାଗିଥିଲେ । କିନ୍ତୁ ବେଳେ ବେଳେ ସଞ୍ଜୟର ଘର ଫୁଲେଶ୍ୱରୀ ବସ୍ତିକୁ ମଧ୍ୟ ଆସୁଥିଲେ । ମାସେ ହେବ ସେ ସଞ୍ଜୟଙ୍କ ସହ ଫୁଲେଶ୍ୱରୀ ବସ୍ତିରେ ରହିବାକୁ ଲାଗିଥିଲେ ।
ଡିସେମ୍ବର ୨୪ ତାରିଖରେ ପୁଷ୍ପଲତା ପ୍ରୀତିରଞ୍ଜନ ପତି ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ପ୍ରୀତିରଞ୍ଜନ ଘର ଚକେଇସିଆଣୀରେ ରହୁଥିଲେ । ବିବାହର କିଛି ଦିନ ପରେ ସେ ପୁଣି ସଞ୍ଜୟଙ୍କୁ ନିକଟକୁ ଫେରିଆସି ଫୁଲେଶ୍ୱରୀ ବସ୍ତିରେ ରହିବାକୁ ଲାଗିଥିଲେ । ପୁଷ୍ପଲତାଙ୍କ ବିବାହକୁ ନେଇ ସଞ୍ଜୟ ଏବଂ ପୁଷ୍ପଲତାଙ୍କ ମଧ୍ୟରେ ବିବାଦ ହୋଇଥିଲା । ଫେବୃଆରୀ ୩ ତାରିଖ ସନ୍ଧ୍ୟା ୫ଟା ବେଳେ ସଞ୍ଜୟ ପୁଷ୍ପଲତାଙ୍କ ତଣ୍ଡିଚିପି ହତ୍ୟା କରିଥିଲା । ଏହାପରେ ସଞ୍ଜୟ ତା ସାଙ୍ଗ ଚନ୍ଦୁ ଓରଫ ଶ୍ରୀକାନ୍ତ ଦାସକୁ ଡାକିଥିଲା ।