

ସତ୍ୟଶିଖା(ଭୁବନେଶ୍ୱର ) ୨୯.୦୧.୨୦୨୨ : କନିକା ରାଜା ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କର ରାଜକନିକାରେ ଥିବା ସମ୍ପତ୍ତିରୁ ମିଳିଥିବା ଭାଗକୁ ବିକ୍ରି କରିଦେବା ଯୋଜନାରେ ଥିଲେ ନାତୁଣୀ ବୋହୂ ପରେଶକୁମାରୀ ଦେବୀ। ପାଖାପାଖି ୪ କୋଟି ଟଙ୍କାର ମୂଲ୍ୟବାନ ସମ୍ପତ୍ତି ବିକ୍ରି କରିଦେବାକୁ ନିଷ୍ପତ୍ତି ନେଇଥିଲେ ପରେଶକୁମାରୀ। ସମ୍ପତ୍ତି ବିକ୍ରି ପୂର୍ବରୁ କିଛି ଲୋକଙ୍କଠାରୁ ଅଗ୍ରୀମ ଆକାରରେ ଟଙ୍କା ବି ଆଣିଥିଲେ। କିନ୍ତୁ ଏହି ସମ୍ପତ୍ତି ବିକ୍ରି ନିଷ୍ପତ୍ତିକୁ ତାଙ୍କର ଏକମାତ୍ର ପୁଅ ଗୋପାଳ ଓରଫ ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓ ବିରୋଧ କରି ଆସୁଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଗଲା ୨୨ ତାରିଖରେ ପରେଶକୁମାରୀଙ୍କୁ ସେ ହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। କିନ୍ତୁ ଗଲା ବୁଧବାର ଦିନ ନିଜର ସବୁ ରାଗ ସୁଝାଇବାକୁ ଯାଇ ଅତ୍ୟନ୍ତ ବୀଭତ୍ସ ଭାବେ ସେ ମା’ ପରେଶକୁମାରୀଙ୍କୁ ହତ୍ୟା କରିଥିଲେ। ପୁଲିସ ତଦନ୍ତରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ସ୍ବାମୀ ସୌରୀନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ମୃତ୍ୟୁ ପରେ ସବୁ ସମ୍ପତ୍ତିର ସ୍ବତ୍ତ୍ବାଧିକାରୀ ଥିଲେ ପରେଶକୁମାରୀ। ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ବି ସେ ସଂପତ୍ତିରେ ଭାଗ ଦେବାକୁ ରାଜି ନଥିଲେ।
ଏହିସବୁ ଘଟଣାକୁ କେନ୍ଦ୍ରକରି ଗଲା ଶନିବାର ସନ୍ଧ୍ୟାରେ ମା’ ଓ ପୁଅ ମଧ୍ୟରେ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା। ମା’ଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ ଗୋପାଳ। କିନ୍ତୁ ସେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ। ଉପର ମହଲାରେ ରହୁଥିବା ଝିଅକୁ ଡାକ ପକାଇଥିଲେ। ଭୁବନେଶ୍ବରରେ ରହୁଥିବା ଗୋପାଳଙ୍କ ତୃତୀୟ ପତ୍ନୀ କବିତା ସିଂହଦେଓଙ୍କୁ ବି କଟକରେ ତୁରନ୍ତ ପହଞ୍ଚିବାକୁ ଫୋନ କରିଥିଲେ। କବିତା ତାଙ୍କ ଭାଇଙ୍କୁ ଧରି କଟକ ଘରେ ଗଲା ୨୨ ତାରିଖ ରାତି ପ୍ରାୟ ୭ଟା ବେଳେ ପହଞ୍ଚିଥିଲେ। ଉଭୟ ମା-ପୁଅଙ୍କୁ ବୁଝାସୁଝା କରିବା ପରେ ସେଦିନ ବିବାଦ ଥଣ୍ଡା ପଡ଼ିଥିଲା। କିନ୍ତୁ ଗୋପାଳ ମନ ଭିତରେ କୁହୁଳୁ ଥିବା ନିଆଁ ବୁଧବାର ଉଗ୍ର ରୂପ ନେଇଥିଲା। ଶେଷରେ ଘଟିଥିଲା ଏକ ବୀଭତ୍ସ ହତ୍ୟାକାଣ୍ଡ।
ଗୋପାଳଙ୍କ ବୀଭତ୍ସ କାଣ୍ଡ ସିସି କ୍ୟାମେରା ଫୁଟେଜରେ ରେକର୍ଡିଂ ହୋଇଥିବାବେଳେ ବିଡାନାସୀ ପୁଲିସ ତାକୁ ଜବତ କରି ରସୁଲଗଡ଼ ଫରେନସିକ ସାଇନ୍ସ ଲାବରେଟୋରିକୁ ପଠାଇବାକୁ ଯୋଜନା କରିଛି। ଏହି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀ ଜୟନ୍ତୀଙ୍କ ବୟାନ ହିଁ ଗୋପାଳଙ୍କୁ ଅଦାଲତରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିବାକୁ ବଳିଷ୍ଠ ପ୍ରମାଣ ହେବାକୁ ଯାଉଥିବା ଜଣାପଡ଼ିଛି।