ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୧/୨୦୨୦ : ଚଳିତ ବର୍ଷ ମାର୍ଚ୍ଚରୁ ସମଗ୍ର ଦୁନିଆରେ କରୋନା ମହାମାରୀ କାରଣରୁ ଭୟର ମାହୋଲ ରହିଛି । ଏମିତି ଘଡିସନ୍ଧି ମୁହୂର୍ତ୍ତରେ ସୁନା ହିଁ ସୁରକ୍ଷିତ ନିବେଶର ସବୁଠୁ ବଡ ମାଧ୍ୟମ ପାଲଟିଛି । ସଙ୍କଟ କିମ୍ବା ଆର୍ଥିକ ମାନ୍ଦାବସ୍ଥା ବେଳେ ସୁନା ନିବେଶକୁ ସବୁଠୁ ଭଲ ବିକଳ୍ପ କୁହାଯାଏ । ହେଲେ ଏବେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଆମେରିକା ଡଲାର ଓ କୋଭିଡ୍-୧୯ ଭ୍ୟାକସିନର ଖବର ମଧ୍ୟରେ ସୁନା-ରୂପା ଶସ୍ତା ହୋଇଛି । ଗୋଲ୍ଡ ଇଟିଏଫରେ ମଧ୍ୟ ନିବେଶକ ବିଶେଷ ରୁଚି ଦେଖାଉ ନାହାନ୍ତି । ଅଗଷ୍ଟ ପରଠୁ ଏ ପର୍ଯ୍ୟନ୍ତ ସୁନାର ଦାମ ୧୦ ଗ୍ରାମ ପିଛା ପ୍ରାୟ ୬୦୦୦ ଟଙ୍କା ଶସ୍ତା ହୋଇ ସାରିଛି ।
ଏବେ କରୋନା ଭ୍ୟାକସିନ ଶୀଘ୍ର ଆସିବାର ଖବର ମିଳିବା ପରେ ୧୦ ଗ୍ରାମ ପିଛା ସୁନା ଦାମ ୧୦୦୦ ଟଙ୍କା ଶସ୍ତା ହୋଇ ସାରିଛି । ବିଶେଷଜ୍ଞଙ୍କ ଅନୁଯାୟୀ ସୁନା ମୂଲ୍ୟରେ ଆଗାମୀ ସମୟରେ ହ୍ରାସ ଘଟିବାର ସମ୍ଭାବନା ରହିଛି । ନୂତନ ବର୍ଷ ପର୍ଯ୍ୟନ୍ତ ସୁନାର ଦାମ ୧୦ ଗ୍ରାମ ପିଛା ୫୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ ।