

ସତ୍ୟଶିଖା(ପୁରୀ) ୨୪.୦୬.୨୦୨୧: ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କରୋନା କଟକଣା ପାଇଁ ପୂର୍ବ ବର୍ଷ ଇତିହାସର ପୁନରାବୃତ୍ତି ହୋଇଛି। ବିନା ଭକ୍ତରେ ଖାଁ ଖାଁ ବଡ଼ ଦାଣ୍ଡରେ ଆୟୋଜିତ ହେଉଛି ସ୍ନାନଯାତ୍ରା । ସମ୍ପୂର୍ଣ୍ଣ ରୀତିନୀତି ସହ ଆଗେଇ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି।
ଧାଡ଼ି ପହଣ୍ଡିରେ ରତ୍ନସିଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂରତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସି ସ୍ନାନ ବେଦୀରେ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ । ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧର ପୋଛା ଶେଷ । ୧୦୮ ଗରା ସୁବାସିତ ଜଳରେ ହେବ ମହାପ୍ରଭୁଙ୍କର ମହାସ୍ନାନ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ମଙ୍ଗଳ ଆଳତୀ ପରେ ବଢି ଚାଲିଛି ଅନ୍ୟାନ୍ୟ ନୀତିକାନ୍ତି । ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ ସହ ସମ୍ପନ୍ନ ହେଉଛି ସ୍ନାନ ବିଧି । ସାଢ଼େ ୧୦ଟାରେ ଛେରା ପହଁରା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଏହାପରେ ମଧ୍ୟାହ୍ନ ୧୧ଟାରୁ ୧୨ଟା ଭିତରେ ଅନୁଷ୍ଠିତ ହେବ ଠାକୁରଙ୍କ ହାତୀବେଶ । ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ।