ରାଜନୀତିରାଜ୍ୟ

ବିଜେଡିର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ସତ୍ୟଶିଖା(ଭୁବନେଶ୍ୱର) ୧୨.୦୭.୨୦୨୧:  ପବିତ୍ର ଘୋଷଯାତ୍ରା ଅବସରରେ ବିଜେଡିର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ । ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମାଣ ହେବାକୁ ଥିବା ବିଜେଡି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମି ପୂଜନ ପରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ଗତ ୨୩ ବର୍ଷ ଭିତରେ ଓଡିଶାବାସୀଙ୍କ ନିକଟରେ ବିଜୁ ଜନତା ଦଳ ଆଶା ଓ ବିଶ୍ଵାସର ପ୍ରତୀକ ହୋଇ ଛିଡା ହୋଇଛି । ଯୁବ, ଛାତ୍ର, ମହିଳା, କୃଷକ, ସଂଖାଲଘୁ, ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ସମସ୍ତଙ୍କୁ ନେଇ ବିଜେଡିର ସଭ୍ୟ ସଂଖ୍ୟା ୧ କୋଟିରୁ ଉର୍ଦ୍ଧ୍ବରେ ପହଞ୍ଚିଛି । ବିଜେଡିର ନୂତନ କାର୍ଯ୍ୟାଳୟରେ ବିଜୁ ଜନତା ଦଳର ସମସ୍ତ ଶାଖା କାର୍ଯ୍ୟକ୍ଷମ ହେବ । ଏହା ସହିତ ରକ୍ତଦାନ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯିବ । ବିଜୁ ଯୁବ ଓ ଛାତ୍ର ନିଜର ଘର ଭାବି ଏହି କାର୍ଯ୍ୟକ୍ରମରେ ଶ୍ରମ ଦାନ କରିବେ ବୋଲି ପ୍ରଣବ କହିଛନ୍ତି । ଏହି କାର୍ଯ୍ୟାଳୟ ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ସମର୍ପଣ କରିବେ । ସେହିପରି ସଞ୍ଜୟ ଦାସବର୍ମା କହିଛନ୍ତି ୨୩ ବର୍ଷ ପରେ ବିଜେଡି ମୁଖ୍ୟାଳୟ ନୂଆ ରୂପ ନେବାକୁ ଯାଉଛି । ଆଜି ତାହାର ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ରାଜ୍ୟ କାର୍ଯ୍ୟାଳୟଠୁ ଆରମ୍ଭ କରି ୩୦ଟି ଜିଲ୍ଲାର ସଦର ମହକୁମାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥାପନ କରାଯିବ । ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ଏହି ନିର୍ମାଣ କାର୍ଯ୍ୟ ହେବ । ଏହାକୁ ୩ଟି ମହଲା ଭିତରେ ସଂକ୍ଷିପ୍ତ ରଖାଯିବ । ଏହାର ବାସ୍ତୁ ଓ ନିର୍ମାଣକୁ ସ୍ବତନ୍ତ୍ର ଭାବେ କରାଯାଇଛି ଯେଉଁଥିରେ ଓଡ଼ିଶାର ସ୍ଥାପତ୍ୟ ଓ କଳାକୁ ଗୁରୁତ୍ବ ଦିଆଯିବ । ଏହା ଭିତରେ ଏକ ବଡ଼ ଅଡ଼ିଟୋରିୟମ ଓ ରିଟର୍ଣ୍ଣିଂ ରୁମ୍ କରାଯିବାର ବ୍ୟବସ୍ଥା ରଖାଯାଇଛି । ଏହି ଭୂମି ପୂଜନ ସମୟରେ ଦଳର ନେତା, ମନ୍ତ୍ରୀ ଓ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ ।

Show More
Back to top button