ବାଣିଜ୍ୟ

ଅକ୍ଟୋବରରେ ୩୯,୨୦୦ କୋଟିର ବିତ୍ତୀୟ ନିଅଣ୍ଟ

ସତ୍ୟଶିଖା (ନୂଆଦିଲ୍ଲୀ) ୨୮/୧୧/୨୦୨୦ : ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା କେନ୍ଦ୍ର ସରକାର ୧.୪୩ ଲକ୍ଷ କୋଟି ଟଙ୍କାର ଆୟ କରିଥିବା ବେଳେ ୧.୮୨ ଲକ୍ଷ କୋଟି ଟଙ୍କା ବ୍ୟୟ କରିଛନ୍ତି । ଆୟ ଠାରୁ ବ୍ୟୟ ୩୯,୨୦୦ କୋଟି ଟଙ୍କା ଅଧିକ ରହିଛି । ଗତବର୍ଷ ଏହି ସମୟରେ ଆୟ ବ୍ୟୟ ଭିତରେ ଅନ୍ତର ୬୮,୯୦୦ କୋଟି ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା । ଆୟ ଠାରୁ ବ୍ୟୟ ଅଧିକ ହେଲେ ବିତ୍ତୀୟ ନିଅଣ୍ଟ ଦେଖାଦିଏ । ଆୟ ଠାରୁ ବ୍ୟୟ କମ୍ ରହିଲେ ବିତ୍ତୀୟ ବଳକା ସୃଷ୍ଟି ହୁଏ । ଅକ୍ଟୋବର ସୁଦ୍ଧା ଟିକସ ରାଜସ୍ବ ୧.୫୪ ଲକ୍ଷ କୋଟି ଟଙ୍କା ରହିଛି ଯାହା ଗତବର୍ଷର ଏହି ମାସର ୧.୩୨ ଲକ୍ଷ କୋଟି ଟଙ୍କା ତୁଳନାରେ ଅଧିକ । ରାଜସ୍ବ ନିଅଣ୍ଟ ପରିମାଣ ୯,୪୦୦ କୋଟି ଟଙ୍କା ରହିଛି ।ପ୍ରମୁଖ ୮ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ୨.୫% ହ୍ରାସ

ସତ୍ୟଶିଖା (ନୂଆଦିଲ୍ଲୀ) ୨୮/୧୧/୨୦୨୦ : ଦେଶର ଶିଳ୍ପ କ୍ଷେତ୍ର ପ୍ରତି ଗୁରୁତ୍ବପୂର୍ଣ୍ଣ ଅବଦାନ ପ୍ରଦାନ କରୁଥିବା ଆଠଟି ପ୍ରମୁଖ କ୍ଷେତ୍ରର ଅଭିବୃଦ୍ଧି ଅକ୍ଟୋବର ମାସରେ ୨.୫ ପ୍ରତିଶତ ହ୍ରାସ ପାଇଛି । ଚଳିତ ବର୍ଷ ଅକ୍ଟୋବରରେ କୋଇଲା ଉତ୍ପାଦନ ୧୧.୬ ପ୍ରତିଶତ ବଢ଼ିଥିବା ବେଳେ ଅଶୋଧିତ ତୈଳ ଉତ୍ପାଦନ ୬.୨ ପ୍ରତିଶତ, ପ୍ରାକୃତିକ ଗ୍ୟାସ୍‌ ଉତ୍ପାଦନ ୮.୬ ପ୍ରତିଶତ, ବିଶୋଧିତ ଉତ୍ପାଦ ଉତ୍ପାଦନ ୧୭ ପ୍ରତିଶତ ଓ ଇସ୍ପାତ ଉତ୍ପାଦନ ୨.୭ ପ୍ରତିଶତ ହ୍ରାସ ପାଇଛି । ସେହି ସମୟରେ କିନ୍ତୁ ସାର ଉତ୍ପାଦନ ୬.୩ ପ୍ରତିଶତ, ସିମେଣ୍ଟ୍‌ ଉତ୍ପାଦନ ୨.୮ ପ୍ରତିଶତ ଓ ବିଦ୍ୟୁତ ଉତ୍ପାଦନ ୧୦.୫ ପ୍ରତିଶତ ବଢ଼ିଛି ।

Show More
Back to top button