ସତ୍ୟଶିଖା ୦୫/୦୨/୨୦୨୧ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ସର୍ବଦା କ୍ରିକେଟ୍ପ୍ରେମୀଙ୍କୁ ରୋମାଞ୍ଚିତ କରିଥାଏ । ୪ ବର୍ଷ ପରେ ଭାରତ ଗସ୍ତରେ ଆସିଛି ଇଂଲଣ୍ଡ ଦଳ । ୪ ବର୍ଷ ତଳେ ଇଂଲଣ୍ଡ ଏଠାରୁ ୪ଟିଯାକ ଟେଷ୍ଟ ହାରି ଫେରିଥିଲା । ଏଥର ସିରିଜ୍ ନ ଜିତିଲେ ମଧ୍ୟ ଉନ୍ନତ ପ୍ରଦର୍ଶନ ଆଶାରେ ଜୋ ରୁଟ୍ ନେତୃତ୍ବାଧୀନ ଦଳ ରହିବ । ଶୁକ୍ରବାରଠାରୁ ୪ ମ୍ୟାଚ୍ ବିଶିଷ୍ଟ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ର ପ୍ରଥମ ଟେଷ୍ଟ ଏମ୍.ଏ. ଚିଦମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବ । ଉଭୟ ଦଳ ବିଦେଶରେ ଟେଷ୍ଟ ସିରିଜ୍ ଜିତି ଏହି ସିରିଜ୍ ଖେଳିବାକୁ ଯାଉଛନ୍ତି । ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍କୁ ୨-୦ରେ ପୋଛିବା ପରେ ଭାରତ ଆସିଛି ଇଂଲଣ୍ଡ । ଅନ୍ୟପକ୍ଷରେ ଦଳର ଅର୍ଦ୍ଧାଧିକ ନିୟମିତ ଖେଳାଳିଙ୍କୁ ହରାଇବା ସତ୍ତ୍ବେ ଘରୋଇ ଅଷ୍ଟ୍ରେଲିଆକୁ ୨-୧ରେ ଟେଷ୍ଟ ସିରିଜ୍ରେ ଭାରତ ପରାସ୍ତ କରିଛି । ପୁଣି ଉଭୟ ଦଳକୁ କିଛି ପ୍ରମୁଖ ଖେଳାଳି ଫେରିଥିବାରୁ ସେମାନେ ଉତ୍ସାହିତ ଅଛନ୍ତି । ଇଂଲଣ୍ଡ ଦଳକୁ ଫାଷ୍ଟବୋଲର ଜୋଫ୍ରା ଆର୍ଚର ଓ ତାରକା ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଫେରିଛନ୍ତି । ଭାରତୀୟ ଦଳକୁ ଅଧିନାୟକ ବିରାଟ କୋହଲିଙ୍କ ସହ ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା ଓ ଆର୍. ଅଶ୍ବିନ ଫେରିଛନ୍ତି ।
ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍ ଆଜିଠାରୁ
