

ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୦୨/୧୦୨୧ : ତୈଳ ଦର କମିବାର ନାଁ ନେଉନାହିଁ । ପୁଣି ପେଟ୍ରୋଲ ଓ ଡିଜେଲ ଦର ଲିଟର୍ ପିଛା ୨୬ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲର ଦାମ୍ ଲିଟର୍ ପିଛା ୮୯ ଟଙ୍କା ନିକଟତର ହୋଇଛି ।
ଲଗାତର ପେଟ୍ରୋଲ ଓ ଡିଜେଲ ଦର ସପ୍ତାହେ ହେଲା ବୃଦ୍ଧି ପାଉଛି । ସୋମବାର ନୂଆଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦାମ୍ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛି । ପେଟ୍ରୋଲ ଦାମ୍ ୮୯ ଟଙ୍କାରେ ପହଁଚିଥିବା ବେଳେ ଦେଶର ଅନେକ ସହରରେ ଏହା ୧୦୦ ନିକଟତର ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ଲଗାତର ଭାବେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି । ଦିଲ୍ଲୀରେ ଏବେ ପେଟ୍ରୋଲ ଦାମ୍ ଲିଟର ପିଛା ୮୮.୯୯ ଟଙ୍କା ଥିବା ବେଳେ ଡିଜେଲ ୭୯.୩୫ ଟଙ୍କା, ମୁମ୍ବାଇରେ ପେଟ୍ରୋଲ ୯୫.୪୬ ଟଙ୍କା ଓ ଡିଜେଲ ୮୬.୩୪ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ଦର ୯୧.୧୯ ଟଙ୍କା ଥିବା ବେଳେ ଡିଜେଲ ୮୪.୪୪ ଟଙ୍କା, କୋଲକାତାରେ ପେଟ୍ରୋଲ ୯୦.୨୫ ଟଙ୍କା ଓ ଡିଜେଲ ୮୨.୯୪ ଟଙ୍କା ରହିଛି ।
ଦେଶର ଅନେକ ସହରରେ ପେଟ୍ରୋଲ ଦର ୯୯ ଓ ୧୦୦ ନିକଟତର ହୋଇଛି । ପ୍ରିମିୟମ ତେଲ ୧୦୦ ଟଙ୍କା ପାର୍ ହୋଇଯାଇଛି । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପ୍ରିମିୟମ ପେଟ୍ରୋଲ ଦର ଜାନୁଆରୀ ୨୬ରେ ୧୦୦ ଟଙ୍କା ଅତିକ୍ରମ କରିଥିଲା । ସୋମବାର ଏହା ୧୦୩.୩୧ରେ ପହଁଚିଛି । ସାଧାରଣ ପେଟ୍ରୋଲ ଦର ୯୯.୪୯ ଟଙ୍କା ରହିଛି ଷ ସେହିପରି ରାଜସ୍ଥାନର ହନୁମାନଗଡ ଓ ବିକାନିରରେ ପ୍ରିମିୟମ ପେଟ୍ରୋଲ ୧୦୦ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ସାଧାରଣ ପେଟ୍ରୋଲ ୯୭.୬୪ ଟଙ୍କାରେ ପହଁଚିଛି । ମଧ୍ୟପ୍ରଦେଶର ବାଲାଘାଟରେ ସାଧାରଣ ପେଟ୍ରୋଲ ୯୮.୮୯, ଭୋପାଳରେ ପ୍ରିମିୟମ ପେଟ୍ରୋଲ ୯୯.୮୭ରେ ପହଁଚିଛି । ସୂଚନାଯୋଗ୍ୟ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ରହିଛି ୬୩ ଡଲାର ।