ସତ୍ୟଶିଖା ୨୩/୦୧/୨୦୨୧ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଇଟାମୁଣ୍ଡୁଳି ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ପିଲା ପିଲି ନହେବାରୁ ତାଙ୍କ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେବା ସହ ଶ୍ୱଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି । ଏ ନେଇ ପୁତ୍ରବଧୁ ଶ୍ୱଶୁର ନାଁରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଏତଲା ଦେବାପରେ ପୁଲିସ ସମ୍ପୃକ୍ତ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।
ସୂଚନା ଅନୁଯାୟୀ, ସେହି ଗ୍ରାମର ଜଣେ ଶ୍ଵଶୁର ନିଜ ବୋହୂକୁ ଶୁକ୍ରବାର ଭୋରୁ ବଳପୂର୍ବକ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି । ଇଟାମୁଣ୍ଡଳି ଗ୍ରାମର ଚୌଧୁରୀ ମହେନ୍ଦ୍ର ଦାସ ନିଜ ବୋହୂ ଙ୍କୁ ଦୀର୍ଘଦିନ ହେବ ଛୁଆ ପିଲା ହେଉ ନଥିବାରୁ ଶାରୀରିକ, ମାନସିକ ଯନ୍ତ୍ରଣା ଦେଇ ଅଶ୍ଳୀଳ ଇଙ୍ଗିତ କରିଆସୁଥିଲେ । ସମସ୍ତେ ଘରେ ଶୋଇଥିବାର ସୁଯୋଗ ନେଇ ଶ୍ୱଶୁର ଏଭଳି କାଣ୍ଡ ଭିଆଇଥିବା ସମ୍ପୃକ୍ତ ବୋହୁ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ଚିତ୍କାର ଶୁଣି ତାଙ୍କ ସ୍ଵାମୀ ପହଞ୍ଚିବା ପରେ ଏଭଳି କାର୍ଯ୍ୟର ବିରୋଧ କରିବାରୁ ଉଭୟ ପୁଅ ବୋହୁଙ୍କୁ ଶ୍ୱଶୁର ମାଡ ମାରିଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମାହାଙ୍ଗା ପୁଲିସ ଇତି ମଧ୍ୟରେ ଶ୍ୱଶୁର ମହେନ୍ଦ୍ରଙ୍କୁ ହେପାଜତକୁ ଆଣି ପଚରାଉଚୁରା କରୁଛି । ବୋହୁର ଅଭିଯୋଗକୁ ଭିତ୍ତି କରି ପୁଲିସ ଅନେକ ଧାରାରେ ଏତଲା ପଂଜିକୃତ କରିଛି । ଘଟଣାକୁ ୨୪ ଘଣ୍ଟା ବିତି ସାରିଥିବା ବେଳେ ଏ ପର୍ଯ୍ୟନ୍ତ ପୀଡ଼ିତାଙ୍କ ଡାକ୍ତରୀ ମାଇନା ହୋଇନଥିବା ଜଣାପଡିଛି ।