

ସତ୍ୟଶିଖା ୧୪.୧୨.୨୦୨୦ : ୬ବର୍ଷର ଜଣେ ନାବାଳକ ଲୁଚି ଲୁଚି ନିଜ ମାଙ୍କ କ୍ରେଡିଟ୍ କାର୍ଡ଼ରୁ ୧୧.୭୭ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଥିଲା । ନାବାଳକଟି ନିଜ ମାଆଙ୍କ ଆଇପ୍ୟାଡରେ ଗେମ୍ ଖେଳୁଥିଲା ଏବଂ ଏହି ସମୟରେ ସେ ଭର୍ଚୁଆଲ୍ ‘ଗୋଲଡେନ୍ ରିଙ୍ଗସ୍’ କିଣିବା ପାଇଁ ଆପଲ୍ ଆପ୍ ଷ୍ଟୋରରେ ଅନେକ ଥର ମାଙ୍କ କ୍ରେଡିଟ୍ କାର୍ଡ଼ର ବ୍ୟବହାର କରିଥିଲା ।
ମାଙ୍କ କ୍ରେଡିଟ୍ କାର୍ଡ଼ରୁ ପାଖାପାଖି ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ଏହି ମାମଲା ଆମେରିକାର କନେକ୍ଟିକଟ୍ର । ଏବେ ପରିବାରକୁ ଏତେ ଟଙ୍କା ସୁଝିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ଆପଲ୍ ଦମ୍ପତ୍ତିଙ୍କୁ ଟଙ୍କା ଫେରାଇବାକୁ ମନା କରି ଦେଇଛି । ୬ବର୍ଷର ବାଳକର ନାଁ ଜର୍ଜ ଜନସନ୍ । ଜର୍ଜ ମା ଜେସିକାଙ୍କ ଆଇପ୍ୟାଡରେ ନିଜ ପ୍ରିୟ ଗେମ୍ ସୋନିକ୍ ଫୋର୍ସେଜ ଖେଳୁଥିଲା । ଏହି ସମୟରେ ଗେମରେ ନୂଆ କ୍ୟାରେକ୍ଟର ବ୍ୟବହାର ଏବଂ ଉପରର ଲେଭେଲକୁ ପହଞ୍ଚିବା ପାଇଁ ସେ କ୍ରେଡିଟ୍ କାର୍ଡ଼ରୁ କିଣାକିଣି କରିଥିଲେ ।
କ୍ରେଡିଟ୍ କାର୍ଡ଼ରୁ ଯେତେବେଳେ ବର୍ଦ୍ଧିତ ବିଲ୍ ଆସିଥିଲା ସେତେବେଳେ ଜେସିକା ବୁଝି ପାରିନଥିଲେ ଯେ ଏହା ଗେମ୍ ଖେଳିବା ଯୋଗୁଁ ହୋଇଛି । ଜେସିକା ଭାବିଥିଲେ କେହି ଜଣେ ଫ୍ରଡ୍ କରିଛି । ଏହି କାରଣରୁ ସେ ପ୍ରଥମେ ବ୍ୟାଙ୍କ୍ ସହ ସମ୍ପର୍କ କରିଥିଲେ ଏବଂ ୬୦ଦିନ ପର୍ଯ୍ୟନ୍ତ ସେ ଆପଲ୍ ସହ ଯୋଗାଯୋଗ କରିପାରିନଥିଲେ । ତାଙ୍କ ଫୋନରେ ସେ କ’ଣ କରିଛି ବୋଲି ଜେସିକା ଜର୍ଜକୁ ପଚାରିଥିଲେ । ଏହା ପରେ ଜର୍ଜ କହିଥିଲା ଯେ ସେ ତାଙ୍କ ଟଙ୍କା ସୁଝି ଦେବ । ଜେସିକା କହିଥିଲେ ଯେ ତାଙ୍କ ଆୟ ଏବର୍ଷ ୮୦ପ୍ରତିଶତ କମିଯାଇଛି । ଏବେ ସେ ଜାଣି ପାରୁ ନାହାନ୍ତି ଯେ ଖ୍ରୀଷ୍ଟମାସ୍ କିପରି ସେଲିବ୍ରେଟ୍ କରିବେ ।
ଆପଲ୍ କମ୍ପାନୀ ଦମ୍ପତ୍ତିଙ୍କୁ ରିଫଣ୍ଡ ଦେବାକୁ ମନା କରି ଦେଇଥିଲା କାରଣ ଦମ୍ପତ୍ତି ଚାଇଲ୍ଡ ପ୍ରୃଫ ସେଟିଂ ଅନ୍ କରି ପାରିନଥିଲେ ।