
ସତ୍ୟଶିଖା (ଭୁବନେଶ୍ୱର) ୨୮/୧୨/୨୦୨୦ : ୯ ମାସ ପରେ ଖୋଲିଛି ଶ୍ରୀଲିଙ୍ଗରାଜ ମନ୍ଦିର । ଆଜି ପ୍ରଥମ ଦିନରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ସେବାୟତ ଓ ତାଙ୍କ ପରିବାରର ସଦସ୍ୟ । କରୋନା କଟକଣାରେ ସେମାନେ ମନ୍ଦିର ଆଡ଼କାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଦୀର୍ଘ ଦିନ ଧରି ଭଗବାନଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ବହୁ ସେବାୟତଙ୍କ ପରିବାର ସଦସ୍ୟ ଭାବବିହ୍ବଳ ହୋଇଯାଇଥିଲେ । ପ୍ରଥମ ଦିନରେ ୧୫୦ଜଣ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଦର୍ଶନ ବେଳେ ସେମାନେ ମାସ୍କ ପିନ୍ଧିବା, ସିଂହଦ୍ବାର ନିକଟରେ ହାତ ସାନିଟାଇଜ୍ କରିବା, ୬ ଫୁଟ୍ର ସାମାଜିକ ଦୂରତା ବଜାୟ ରଖିବା, ପାନ, ଗୁଟ୍ଖା ନଖାଇବା ଏବଂ ମନ୍ଦିର ଭିତରେ ଓ ବାହାରେ ଛେପ ନପକାଇବା, ର୍ଥମାଲ ସ୍କ୍ରିନିଂ, ଆଣ୍ଟିଜେନ୍ ଟେଷ୍ଟ ଆଦି ନିୟମ ପାଳନ କରିଥିଲେ ।ଏହି କାର୍ଯ୍ୟକୁ ତଦାରଖ କରିବାକୁ ବିଏମ୍ସି ଡେପୁଟି କମିସନର କମଲଜିତ୍ ଦାସ, ଜୋନାଲ ଡେପୁଟି କମିସର ଅଂଶୁମାନ ରଥ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଓ ବିଡିଏର ଅଧିକାରୀ ଉପସ୍ଥିତ ଥିଲେ । ସେବାୟତଙ୍କ ପରିବାରର ସଦସ୍ୟମାନଙ୍କୁ ଚିହ୍ନଟ କରିବାକୁ ବିଭିନ୍ନ ନିଯୋଗର ସମ୍ପାଦକ, ମନ୍ଦିର କର୍ମଚାରୀ ଓ ସୁପରଭାଇଜର ଉପସ୍ଥିତ ଥିଲେ । ତେବେ ମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି । କୋଭିଡ୍-୧୯ ସୁରକ୍ଷା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ ସେବାୟତ ପରିବାର ସଦସ୍ୟଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଆଜି ମଧ୍ୟ ବହୁ ଶ୍ରଦ୍ଧାଳୁ ମନ୍ଦିର ସିଂହଦ୍ବାର ନିକଟରେ ପ୍ରାର୍ଥନା କରି ଫେରିଥିଲେ । ସେବାୟତ ପରିବାରର ସଦସ୍ୟ ଯେତିକି ମନ୍ଦିରକୁ ପ୍ରବେଶ କରିଥିଲେ, ତା’ଠାରୁ ଅଧିକ ସିଂହଦ୍ବାର ନିକଟକୁ ଆସି ପୂଜା କରିଯାଇଥିଲେ ।