ବଙ୍ଗୋପସାଗରରେ ଘନୀଭୂତ ହେବାରେ ଲାଗିଛି ଘୂର୍ଣ୍ଣିବଳୟ

ସତ୍ୟଶିଖା (ଭୁବନେଶ୍ୱର) ୨୧/୧୦/୨୦୨୦ : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଆହୁରି ଘନୀଭୁତ ହୋଇପାରେ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ସହ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜିଠୁ ଉପକୂଳରେ ବର୍ଷା ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗର ଆକଳନ କରିଛି । ପାଣିପାଗ ବିଭାଗର ଆକଳନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତା ପରେ ଉତ୍ତର ଉତ୍ତର ପୂର୍ବ ଦିଗକୁ ମୁହାଁଇବ ।ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ୩ ଦିନ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ଆଜି ଗଞ୍ଜାମ,ଗଜପତି,ପୁରୀ,ଜଗତସିଂହପୁର,କେନ୍ଦ୍ରାପଡା,ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଡ ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ , ବାଲେଶ୍ୱର,ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।