ବଢିଲା ଗାଡି କାଗଜପତ୍ର ବୈଧତା

ସତ୍ୟଶିଖା ୨୮/୧୨/୨୦୨୦ : ଆସନ୍ତା ମାର୍ଚ ୩୧ ତାରିଖ ଯାଏଁ ବଢିଲା ଗାଡ଼ିର ଡ୍ରାଇଭିଂ ଲାଇସନ୍ସ, ଆରସି, ଫିଟନେସ୍ କାଗଜପତ୍ରର ବୈଧତା । ଏନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ହୋଇଛି । କରୋନା କଟକଣା କାରଣରୁ ଗତ ମାର୍ଚ ୧୮ ତାରିଖ ପର ଠାରୁ ଚୂଡାନ୍ତ ଡ୍ରାଇଭିଂ ଲାଇସନ୍ସ ପାଇଁ ସ୍ଲଟ୍ ବୁକିଂ ବାତିଲ ହୋଇ ଯାଇଥିଲା ।କରୋନା କଟକଣା କାଳରେ ଆରଟିଓ ଅଫିସରେ ସୀମିତ ସଂଖ୍ୟକ ଡ୍ରାଇଭିଂ ଟେଷ୍ଟ ପାଇଁ ସ୍ଲଟ୍ ମିଳୁଥିବାରୁ ଅନେକ ଗାଡି ଚାଳକ ଲର୍ଣ୍ଣିଂ ଲାଇସନ୍ସ ପାଇଥିଲେ ମଧ୍ୟ ଅନଲାଇନରେ ଫାଇନାଲ ଡ୍ରାଇଭିଂ ଲାଇସନ୍ସ ପାଇଁ ଆବେଦନରୁ ବଂଚିତ ରହିଥିଲେ । ସାରଥୀ ଆପ୍ରେ ସ୍ଲଟ୍ ବି ମିଳୁନଥିଲା । ଏସବୁକୁ ନଜରରେ ରଖି ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଗାଡି ଗୁଡିକର ଡିଏଲ୍, ଆରସି, ଫିଟନେସ୍ ସାର୍ଟିଫିକେଟ ଓ ଅନ୍ୟ କିଛି କାଗଜପତ୍ରର ବୈଧତାକୁ ଆଉ ୩ ମାସ ପାଇଁ ଅର୍ଥାତ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରାଯାଇଥିବା କୁହାଯାଇଛି । ରାଜ୍ୟ ପରିବହନ ବିଭାଗର ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁ ସବୁ ଗାଡ଼ି କାଗଜପତ୍ରର ସମୟସୀମା ୨୦୨୦ ଫେବ୍ରୁଆରୀରେ ସରିଯାଇଛି ବା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସରୁଛି, ତା’ଉପରେ ଏହି ନିୟମ ଲାଗୁ ହେବ । ଯେଉର୍ଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା ଡିସେମ୍ବର ୩୧, ୨୦୨୦ ଭିତରେ ସରୁଛି, ସେମାନେ ଏହାକୁ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ ମାର୍ଚ୍ଚ ୩୧ ଯାଏଁ ବ୍ୟବହାର କରିପାରିବେ । ଏହି ସମୟ ମଧ୍ୟରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ । ଗାଡି ଚାଳକଙ୍କ ସମସ୍ୟାକୁ ନଜରରେ ରଖି ଜନହିତରେ ଏପରି ନିଷ୍ପତି ନିଆଯାଇଥିବା କୁହାଯାଇଛି ।