
ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୦୧/୨୦୨୧ : ଦେଶର ଦୁଇଟି ବଡ ଅଣ୍ଡା ଗୋଦାମ ଉପରେ ନୂଆ ସଙ୍କଟ ମାଡି ଆସିଛି । ରାଜସ୍ଥାନରେ ବର୍ତ୍ତମାନ ପକ୍ଷୀ ମଡ଼କ ଲାଗି ରହିଛି। ରାଜସ୍ଥାନରେ ପ୍ରତିଦିନ ହଜାର ହଜାର ପକ୍ଷୀ ମରୁଥିବାରୁ ପୋଲଟ୍ରି ଫାର୍ମ ବ୍ୟବସାୟୀ ଚିନ୍ତାରେ ପଡି ଯାଇଛନ୍ତି । ଏହାର କୌଣସି ଟୀକା ନଥିବାରୁ ବ୍ୟବସାୟୀଙ୍କ ଚିନ୍ତା ଆହୁରି ବଢିଯାଇଛି । କରୋନା କାଳରେ ସବୁ ବ୍ୟବସାୟ ଠପ ହୋଇଯାଇଥିବା ବେଳେ ଅଣ୍ଡା ବ୍ୟବସାୟ କୌଣସି ପ୍ରକାରେ ଲାଭରେ ଚାଲିଥିଲା । ବର୍ତ୍ତମାନ ଏହି ନୂଆ ସମସ୍ୟା ମୁଣ୍ଡ ଟେକିଛି । ସୂଚନା ଅନୁଯାୟୀ, ଅଜମେର ଓ ହରିୟାଣାର ବରବାଲା ଅଣ୍ଡା ମଣ୍ଡି ବଡ ମଣ୍ଡିମାନଙ୍କ ମଧ୍ୟରୁ ଗୋଟିଏ । ଦେଶର ଅନ୍ୟ ରାଜ୍ୟ ସମେତ ଉତ୍ତର ଭାରତରେ ଏହି ଦୁଇଟି ମଣ୍ଡିରୁ ସବୁଠାରୁ ଅଧିକ ସପ୍ଲାଏ ହୋଇଥାଏ । ଗତ ୨୪ ଘଣ୍ଟାରେ ରାଜସ୍ଥାନର ୭ଜିଲ୍ଲାରେ ୧୩୫ କାଉ ମରିଛନ୍ତି ।ଜଣେ ପୋଲଟ୍ରି ଫାର୍ମ ବ୍ୟବସାୟୀ କହିଛନ୍ତି ଯେ ହରିୟାଣା ବରବାଲା ମଣ୍ଡିରୁ ଦୈନିକ ୧.୨୫ କୋଟିରୁ ୧.୫ କୋଟି ଅଣ୍ଡା ବ୍ୟବସାୟ ହୋଇଥାଏ । ଅଜମେର ମଣ୍ଡିରୁ ମଧ୍ୟ ଦୈନିକ ୭୦ ରୁ ୮୦ ଲକ୍ଷ ଅଣ୍ଡା ସପ୍ଲାଏ ହୋଇଥାଏ । କିନ୍ତୁ ପକ୍ଷୀ ମଡ଼କ ଯୋଗୁଁ ରାଜସ୍ଥାନରେ ବାର୍ଡ଼ଫ୍ଲୁ ହୋଇଥିବା ନେଇ ଚର୍ଚ୍ଚା ହେଉଛି ଯେଉଁଥିପାଇଁ ମଣ୍ଡିରେ ବ୍ୟବସାୟ ଥମିଯାଇଛି । ରାଜସ୍ଥାନ ସୀମା ସହ ଉତ୍ତର ପ୍ରଦେଶର ମଧ୍ୟ କିଛି ଜିଲ୍ଲା ଜଡିତ । ଉତ୍ତର ପ୍ରଦେଶରୁ ମଧ୍ୟ ପ୍ରତିଦିନ ୨.୫ ରୁ ୩ କୋଟି ଅଣ୍ଡା ବ୍ୟବସାୟ ହୋଇଥାଏ ।
ଜଣେ ପୋଲଟ୍ରି ଫାର୍ମ ବ୍ୟବସାୟୀ କହିଛନ୍ତି ଯେ ଫାର୍ମ ବହୁତ ବଡ ଆକାରରେ ହୋଇଥାଏ । ଜାଗା ଜାଗାରେ ଶେଡ୍ ତିଆରି କରାଯାଇଥାଏ । ବାର୍ଡ଼ଫ୍ଲୁରେ ସଂକ୍ରମିତ ପବନ ଦୁଇଟି ଶେଡ୍ ଆଡକୁ ଆସେ ତାହେଲେ ସେହି ଶେଡର କୁକୁଡ଼ା ରୋଗାକ୍ରାନ୍ତ ହୋଇ ମରିଯାନ୍ତି । କିନ୍ତୁ ଯଦି କୌଣସି ପୋଲଟ୍ରି ଫାର୍ମରେ ୧୦ ଟି କୁକୁଡ଼ା ବାର୍ଡ଼ଫ୍ଲୁରେ ସଂକ୍ରମିତ ହୋଇ ମରିଯାନ୍ତି ତାହେଲେ ସତର୍କତା ପଦକ୍ଷେପ ଗ୍ରହଣ କରି ସବୁ କୁକୁଡ଼ାଙ୍କୁ ମାରିବାକୁ ପଡିଥାଏ । କରୋନା କାଳରେ ମଧ୍ୟ ସାରା ଦେଶରେ ପାଖାପାଖି ୪୦ ପ୍ରତିଶତ କୁକୁଡ଼ାଙ୍କୁ ମାରିଦିଆଯାଇଥିଲା ।