ସାମଗ୍ରୀର ଏମ୍‌ଆର୍‌ପି ଲେଖୁନାହାନ୍ତି ଇ-କମର୍ସ କମ୍ପାନି

ସତ୍ୟଶିଖା (ନୂଆଦିଲ୍ଲୀ) ୨୫/୦୧/୨୦୨୧ : ଇ-କମର୍ସ କମ୍ପାନି ଗୁଡ଼ିକ ଦେଶର ଆଇନକାନୁନକୁ ପାଳନ କରୁନାହାନ୍ତି । ସେମାନେ ସାମଗ୍ରୀର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି), କେଉଁ ଦେଶର ସାମଗ୍ରୀ, ନିର୍ମାତାଙ୍କ ନାମ ଆଦି ଭଲଭାବେ ପ୍ରଦର୍ଶିତ କରୁନାହାନ୍ତି । ତେଣୁ ଏସବୁକୁ ସାମଗ୍ରୀ ଉପରେ ଭଲଭାବେ ଲେଖିବା ପାଇଁ ନିର୍ଦ୍ଦେଶ ଦେବାକୁ ଗାଜିଆବାଦର ଜଣେ ଆବେଦନକାରୀ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଚଳିତ ସପ୍ତାହରେ ଏହି ମାମଲାର ଶୁଣାଣି ହୋଇପାରେ । ଏସବୁ ବିବରଣୀ ନଥିବା କାରଣରୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହିତ ଇ-କମର୍ସ କମ୍ପାନି ଗୁଡ଼ିକ ମଧ୍ର ଖାଉଟି ସୁରକ୍ଷା (ଇକମର୍ସ) ନିୟମ ୨୦୨୦ ଏବଂ ଆଇନଗତ ମାପ (ପ୍ୟାକେଜ୍‌ଡ କମୋଡିଟିଜ୍‌) ଆଇନ ୨୦୧୧କୁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଅଭିଯୋଗ କରାଯାଇଛି । ଏହାଦ୍ୱାରା ଖାଉଟିମାନଙ୍କୁ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅଧିକାରରୁ ବଞ୍ଚିତ କରାଯାଉଛି ବୋଲି କୁହାଯାଉଛି ।କାର୍ଯ୍ୟାନୁଷ୍ଠାନ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲା ବ୍ୟବସାୟୀ ମହାସଂଘ
ଗୋଟି‌ଏ ପଟେ ଇ-କମର୍ସ କମ୍ପାନି ଗୁଡ଼ିକ ବିରୋଧରେ ପିଆଇଏଲ୍‌ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା‌ବେଳେ ଅନ୍ୟପଟେ ଏସବୁ କମ୍ପାନିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) । ଗତ ଜୁନରେ ସରକାର ଇ-କମର୍ସ କମ୍ପାନି ଗୁଡ଼ିକ ପାଇଁ କେତେକ ନିୟମ ବାଧ୍ୟତାମୂଳକ କରିଥିଲେ । ସେହି ନିୟମ ଗୁଡ଼ିକୁ ଆମାଜନ, ଫ୍ଲିପକାର୍ଟ, ଜୋମାଟୋ, ସ୍ୱୀଗି ଭଳି କମ୍ପାନି ଗୁଡ଼ିକ ଉଲ୍ଲଂଘନ କରୁଛନ୍ତି । ସେମାନେ ସାମଗ୍ରୀଟି କେଉଁ ଦେଶରେ ନିର୍ମାଣ ହୋଇଛି, ନିର୍ମାତା କିଏ ରହିଛି ଏବଂ ଉତ୍ପାଦ ସଂପର୍କରେ ଅନ୍ୟ ବିସ୍ତୃତ ତଥ୍ୟ ଲେଖୁନାହାନ୍ତି । ଏସବୁ କମ୍ପାନି ଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ସିଏଆଇଟି ପକ୍ଷରୁ କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ରବିବାର ଏକ ଚିଠି ଲେଖାଯାଇଛି । ଇ-କମର୍ସ କମ୍ପାନିଙ୍କ ବିରୋଧରେ ପୂର୍ବରୁ ବାଣିଜ୍ୟ ସଂଘ ଅନେକ ଅଭିଯୋଗ ଆଣି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ।

Exit mobile version