

ସତ୍ୟଶିଖା ( ଭୁବନେଶ୍ବର ) ୧୮।୦୭: ଭୁବନେଶ୍ବର ସନ୍ଦେହର ବଶବର୍ତ୍ତି ହୋଇ ବାପାକୁ ହତ୍ୟା କଲା ପୁଅ। ଏହା କୌଣସି ଅପହଞ୍ଚ ଇଲାକା କିମ୍ବା ଆଦିବାସୀ ଅଞ୍ଚଳର ନୁହେଁ, ଏହି ଘଟଣା ଖୋଦ୍ ରାଜ୍ୟର ରାଜଧାନୀରେ ଘଟିଛି। ହତ୍ୟାକାରୀ ଅଶିକ୍ଷିତ ନୁହେଁ କି ଅପାଠୁଆ ମଧ୍ୟ ନୁହେଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହତ୍ୟାକାରୀ ପୁଅ ହେଉଛି ଜଣେ ଡାକ୍ତର। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଜଗମୋହନ ନଗର ଅଞ୍ଚଳରେ। ନିଜ ଜନ୍ମ କଲା ବାପାକୁ ହତ୍ୟା କରିଛି ଡାକ୍ତରୀ ପୁଅ।
ସୂଚନା ଅନୁଯାୟୀ ଗତ ୧୬ତାରିଖ ନିଜ ବୋହୂ ସହିତ ବାପାର ସମ୍ପର୍କ ଥିବା ସନ୍ଦେହ କରି ହତ୍ୟା କରିଛି ପୁଅ । ବିଳମ୍ବିତ ରାତିରେ ନିଜ ଜନ୍ମ କଲା ବାପାକୁ ହତ୍ୟା କରିଛି ପୁଅ । ବୋହୂ ସହିତ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ବାପାକୁ ହତ୍ୟା କରିଥିବା ସୂଚନା ମିଳିଛି । ମୃତକ ରାଜ୍କିଶୋର ମିଶ୍ର ବୋଲି ଜଣାପଡିଛି । ଘଟଣାରେ ଅଭିଯୁକ୍ତ ପୁଅ ରଞ୍ଜନ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ପୋଲିସ। ଘଟଣାରେ ଅଧିକ ତଥ୍ୟ ପାଇଁ ଛାନ୍ଭିନ୍ ଜାରି ରଖିଛି । କେଉଁ ପରିସ୍ଥିତିରେ ଏଭଳି ହତ୍ୟାକାଣ୍ଡ ଘଟିଲା, ତାହା ନେଇ ଖୋଳତାଡ଼ ଜାରି ରହିଛି ।
ଜଣେ ଉଚ୍ଚଶିକ୍ଷିତ ପୁଅ ସେ ପୁଣି ଡାକ୍ତର ହୋଇ ମଧ୍ୟ ନିଜର ଜନ୍ମ କଲା ବାପାଙ୍କୁ ସନ୍ଦେହ ଚକ୍ଷୁରେ ଦେଖି ହତ୍ୟା କରିବା ସମସ୍ତଙ୍କୁ ଚକିତ କରିଛି। ବାପାଙ୍କ ବୃଦ୍ଧ ବେଳରେ ପୁଅ ଆଶାବାଡି ପରି ଛିଡା ହୋଇଥାଏ । ଯଦି ସେହି ପୁଅ ଆଶା ବାଡି ପାଲଟିବା ପରିବର୍ତ୍ତେ ବାପାର ହତ୍ୟାକାରୀ ପାଲଟିବ, ତାହା ପୁଣି ଏକ ସନ୍ଦେହରେ । ଏହା ଆମ ସଂସାର ଓ ସମାଜ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି କୁହାଯାଇପାରିବ ।