

ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୦୧/୨୦୨୧ : ପ୍ରତ୍ୟହ ସାଢ଼େ ୪ଲକ୍ଷ ଯାତ୍ରୀଙ୍କ ସମାଗମ ହେଉଥିବା ଦେଶର ସର୍ବବୃହତ୍ ତଥା ଦ୍ଵିତୀୟ ସର୍ବାଧିକ ଭିଡ଼ ଷ୍ଟେସନ ଭାବେ ପରିଚିତ ନୂଆଦିଲ୍ଲୀ ରେଳ ଷ୍ଟେସନ ନୂଆ ରୂପ ନେବ । ଖୁବ୍ ଶୀଘ୍ର ଏହି ନବୀକରଣ କାର୍ଯ୍ୟ ଆରମ୍ଭ ହେବ । ରେଲ୍ ଲ୍ୟାଣ୍ଡ ଡେଭେଲପମେଣ୍ଟ ଅଥରିଟି (ଆରଏଲଡିଏ) ଓ ଇଣ୍ଡିଆନ ରେଲୱେ ଷ୍ଟେସନ ଡେଭେଳପମେଣ୍ଟ କର୍ପୋରେସନ୍ (ଆଇଆରଏସ୍ଡିସି) ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଠାରେ ପ୍ରତ୍ୟହ ୪୦୦ ଟ୍ରେନ୍ ଯାତାୟାତ କରୁଥିବାବେଳେ ଏହି ସଂଖ୍ୟା କ୍ରମଶଃ ବଢ଼ୁ ଥିବାରୁ ଷ୍ଟେସନର ନବୀକରଣ ଅପରିହାର୍ଯ୍ୟ ହୋଇପଡ଼ିଥିବା ଦୁଇ ସଂସ୍ଥା ପକ୍ଷରୁ କୁହାଯାଇଛି । ଏଥିପାଇଁ ୬୮୦ ନିୟୁତ ଡଲାର ବ୍ୟୟ ଅଟକଳ କରାଯାଇଛି । ଏହାର ନିର୍ମାଣ ୪ବର୍ଷ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପ୍ରସ୍ତୁତ ଯୋଜନାନୁସାରେ, ନୂଆଦିଲ୍ଲୀ ଷ୍ଟେସନ ଓ ମେଟ୍ରୋ ଷ୍ଟେସନକୁ ‘ସ୍କାଇ ୱାକ୍’ ମାଧ୍ୟମରେ ସଂଯୋଗ କରାଯିବ । ଷ୍ଟେସନକୁ ଏକ ବହୁମୁଖୀ ହବ୍ରେ ପରିଣତ କରାଯିବ । ଷ୍ଟେସନକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଏକାଧିକ ରାସ୍ତା ସଂଯୋଗ କରାଯିବ । ଏତଦ୍ବ୍ୟତୀତ ପରିବେଶ ଅନୁକୂଳ ବିଭିନ୍ନ ଅତ୍ୟାଧୁନିକ ବିଧିବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଏକାଧିକ କାର୍ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିବ । ପ୍ରାୟ ୩୦ଏକର ଜମିରେ ହୋଟେଲ, ବାଣିଜ୍ୟ କେନ୍ଦ୍ର, ଆମୋଦ ସ୍ଥଳ ଇତ୍ୟାଦି ସ୍ଥାନ ପାଇବ ।