ସତ୍ୟଶିଖା(ନୂଆଦିଲ୍ଲୀ) ୨୪.୦୨.୨୦୨୧ : ଦେଶର ୫ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଦେଖି ଅନେକ ରାଜ୍ୟ ସରକାର ଦୃଢ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ବିଭାଗ (DDMA) ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, କେରଳ, ଛତିଶଗଡ଼ ଓ ପଞ୍ଜାବରୁ ଦିଲ୍ଲୀ ଆସୁଥିବା ଲୋକଙ୍କ ପାଇଁ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ଅନିବାର୍ଯ୍ୟ କରିଛନ୍ତି। ନୂଆ ନିୟମ ଫେବୃଆରୀ ୨୬ ତାରିଖ ଶୁକ୍ରବାର ମଧ୍ୟ ରାତ୍ରିରୁ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୧୨ଟା ଯାଏଁ ଲାଗୁ ହେବ। ଏହି ୫ ରାଜ୍ୟରୁ ଦିଲ୍ଲୀ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ରିପୋର୍ଟ ୭୨ ଘଣ୍ଟାରୁ ଅଧିକ ପୁରୁଣା ହୋଇନଥିବା ଦରକାର। ଅର୍ଥାତ ଯଦି ଆପଣ ଏହି ୫ ରାଜ୍ୟରୁ ଦିଲ୍ଲୀ ଯାଉଛନ୍ତି ତାହେଲେ ଆପଣଙ୍କୁ ନେଗେଟିଭ ରିପୋର୍ଟ ଦେଖାଇବାକୁ ହେବ। ଯଦି ଆପଣଙ୍କ ପାଖରେ ୭୨ ଘଣ୍ଟା ପୂର୍ବର ନେଗେଟିଭ ରିପୋର୍ଟ ଅଛି ତାହେଲେ ଆପଣ ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିପାରିବେନି, ନଚେତ ଆପଣଙ୍କୁ କ୍ଵାରେଣ୍ଟାଇନ କରାଯିବ। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ସମ୍ବନ୍ଧରେ ଆଦେଶ ଜାରି କରିବାକୁ ଯାଉଛି। ସୂଚନାଯୋଗ୍ୟ ଯେ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, କେରଳ, ଛତିଶଗଡ଼ ଓ ପଞ୍ଜାବରେ କରୋନା ମାମଲା ପୁଣିଥରେ ବଢ଼ିବାରେ ଲାଗିଛି। ମଙ୍ଗଳବାର ଦିନ ଦେଶରେ ଯେତିକି କରୋନା ମାମଲା ସାମ୍ନାକୁ ଆସିଥିଲା ସେଥିରୁ ୩୬ ପ୍ରତିଶତ ମାମଲା କେବଳ ଏହି ୫ ରାଜ୍ୟରୁ ଥିଲା। ବୃଦ୍ଧି ପାଉଥିବା ସଂକ୍ରମଣ ମାମଲାକୁ ଦେଖି ଏହି ୫ ରାଜ୍ୟ ଅନେକ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ସରକାର କଡା ନିୟମ ଲାଗୁ କରିଛନ୍ତି। ମହାରାଷ୍ଟ୍ରରେ ୭ ଦିନ ଭିତରେ ସଂକ୍ରମଣ ମାମଲା ନିୟନ୍ତ୍ରଣ ନହେଲେ ରାଜ୍ୟ ସରକାର କଟକଣା ଜାରି କରିପାରନ୍ତି। ଦିଲ୍ଲୀ ସରକାରଙ୍କ ସୂତ୍ର ଅନୁଯାୟୀ, ଏହି ୫ ରାଜ୍ୟର ନୋଡାଲ ପ୍ରଭାରୀଙ୍କୁ କୁହାଯାଇଛି ଯେ ଯାତ୍ରୀଙ୍କୁ ଯାତ୍ରା କରିବା ପୂର୍ବରୁ ନେଗେଟିଭ ରିପୋର୍ଟ ଚେକ କରନ୍ତୁ। ନେଗେଟିଭ୍ ରିପୋର୍ଟ ଦେଖିବା ପରେ ହିଁ ଟିକେଟ କିମ୍ବା ବୋଡିଙ୍ଗ ପାସ ଜାରି କରନ୍ତୁ। ଏହି ୫ ରାଜ୍ୟ ଅନ୍ୟ ରାଜ୍ୟମାନଙ୍କ ଚିନ୍ତା ବି ବଢ଼ାଇ ଦେଇଛନ୍ତି। ଏହି ୫ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ମଧ୍ୟ ବଢ଼ାଇଛି। ସେଥିପାଇଁ ଆଗାମୀ କିଛି ଦିନରେ ରେଲୱେ ଓ ବିମାନ ସେବା ସହ ପବ୍ଲିକ ଟ୍ରାନ୍ସପୋର୍ଟକୁ ନେଇ ଅନେକ ଗାଇଡଲାଇନ ଜାରି କରାଯାଇପାରେ।
କରୋନା ବୃଦ୍ଧିକୁ ନେଇ ଦିଲ୍ଲୀ ସରକାରଙ୍କ ଦୃଢ ପଦକ୍ଷେପ: ଏଣ୍ଟ୍ରି ପାଇଁ ଅନିବାର୍ଯ୍ୟ କଲେ ନେଗେଟିଭ୍ ରିପୋର୍ଟ
