ନ୍ୟୁଜ୍ରାଜ୍ୟ

ଆଜି ୪ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ସତ୍ୟଶିଖା(ପୁରୀ:)୦୮.୦୬. ୨୦୨୨ : ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥିରେ ବୁଧବାର ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି (ଶ୍ରୀମୁଖ ସିଂହାର) ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ ଦ୍ବିତୀୟ ଭୋଗମଣ୍ଡପ ପରେ ଜୟବିଜୟ ଦ୍ବାର ଭିତରୁ ବନ୍ଦ କରାଯିବ। ଦତ୍ତମହାପାତ୍ର ସେବକ ବିଭିନ୍ନ ପ୍ରାକୃତିକ ରଙ୍ଗସହ ଭିତରେ ପ୍ରବେଶ କରିବେ। ରତ୍ନସିଂହାସନ ଉପରକୁ ଯାଇ ସେମାନେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ବନକଲାଗି କରିବେ। ବନକଲାଗି ନୀତି ଶେଷ ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ। ସନ୍ଧ୍ୟା ଧୂପ ଏବଂ ସନ୍ଧ୍ୟା ଆଳତି ସମେତ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ତେବେ ବନକଲାଗି ସମୟରେ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରିବା ସହ ଆନନ୍ଦ ବଜାରରୁ ମହାପ୍ରସାଦ କିଣିପାରିବେ।

Show More
Back to top button