

ସତ୍ୟଶିଖା (ଭଦ୍ରକ) ୧୫/୦୧/୨୦୨୧ : କୋଠାଘର, ଘର ଆଗରେ କାର ଓ ବାଇକ । କିନ୍ତୁ ବାଡିପଟେ ଚୋରା ଦେଶୀ ମଦ ରନ୍ଧା ଚାଲିଥିଲା । ଖବର ପାଇ ରମ୍ଭିଳା ଘୁଷୁରୀପୋଖରୀ ଗାଁରେ ସଦଳବଳ ଚଢ଼ଉ କରିଥିଲେ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା । ମଦ ରନ୍ଧାରେ ବ୍ୟସ୍ତ ଥିଲେ ଶାଶୂ-ବୋହୂ। ପୁଲିସକୁ ଦେଖି ପରିବାରର ଅନ୍ୟ ପୁରୁଷ ସଦସ୍ୟ କୌଣସି ମତେ ଛୁ’ ମାରିଥିଲେ । ବୟସ୍କା ଆଲାଦୀ ସିଂ ଓ ତାଙ୍କ ବୋହୂ ସରସ୍ୱତୀ ସିଂହ(୨୮)ଙ୍କୁ ପୁଲିସ ପଚରା ଉଚୁରା କରିଥିଲା । ବାହାରକୁ ଶିକ୍ଷିତ ଜଣା ପଡ଼ୁଥିବା ଏହି ପରିବାର କିନ୍ତୁ ଚୋରା ଦେଶୀ ମଦ ରନ୍ଧାକୁ ଏକପ୍ରକାର କୌଳିକ ବୃତ୍ତି କରି ଦେଇଥିବା ପୁଲିସ ଜାଣିବାକୁ ପାଇଥିଲା । ଚଢ଼ଉ ବେଳେ ପୁଲିସ ହଜାରେ ଲିଟର ଦେଶୀ ମଦ ବି ଜବତ କରିଛି । ସେମାନଙ୍କ ଠାରୁ ନଗଦ ୧ଲକ୍ଷ ୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଏଥିସହ ଚୋରା ମଦ କାରବାରରେ ବ୍ୟବହାର ହେଉଥିବା କାର ଓ ବାଇକକୁ ମଧ୍ୟ ପୁଲିସ ସେଠାରୁ ଜବତ କରିଛି । ତେବେ ବୋହୂ ସରସ୍ୱତୀ ସିଭିଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା କରିଥିବା କହିଛନ୍ତି ଥାନାଧିକାରୀ ଶ୍ରୀ ଜେନା । ତେବେ ବହୁ ପୂର୍ବରୁ ଅବକାରୀ ବିଭାଗ ମଧ୍ୟ ବୟସ୍କା ଆଲାଦୀଙ୍କୁ ଗିରଫ କରିଥିଲା । ଜେଲରୁ ଫେରିବା ପରେ ଆଲାଦୀ ମଦ ରନ୍ଧା ଛାଡ଼ିବା ବଦଳରେ ତାଙ୍କୁ ବୋହୂଙ୍କୁ ଏଥିରେ ନିୟୋଜିତ କରିଥିଲେ । ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଏଥିରେ ଲିପ୍ତ ଥିବା ପୁଲିସ ଜାଣିବାକୁ ପାଇଛି । ସେମାନଙ୍କୁ ଗିରଫ ଲାଗି ଉଦ୍ୟମ ଆରମ୍ଭ ହୋଇଛି ।