ଶିଶୁଙ୍କ ପାଇଁ ଘନଉଛି ବିପଦ

ସତ୍ୟଶିଖା(ଭୁବନେଶ୍ୱର ) ୧୫.୦୮ .୨୦୨୧: ଓଡ଼ିଶାରେ ଏବେ ଶିଶୁଙ୍କ ପାଇଁ ବିପଦ ଘନେଇବାରେ ଲାଗିଛି । ଶୁକ୍ରବାର ଦାରିଙ୍ଗବାଡ଼ିର ଦୁଇ ଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ହେଲେ ଶନିବାର ପୁଣି ବୁର୍ଲା ଭୀମସାର୍‌ରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପଜିଟିଭ୍ ଚିହ୍ନଟ ହୋଇଥିବା ୨ ଶିଶୁଙ୍କ ବୟସ ୮ ମାସ ଓ ୫ ବର୍ଷ ବୋଲି ଜଣାପଡ଼ିଛି । ଏନେଇ ଭୀମସାର୍ ଅଧୀକ୍ଷକ ଡ. ଲାଲମୋହନ ନାୟକ ସୂଚନା ଦେଇଥିଲେ । ସୂଚନା ଅନୁସାରେ ଉଭୟ ଶିଶୁ ଅସୁସ୍ଥତା ଯୋଗୁ ଚିକିତ୍ସା ପାଇଁ ଭୀମସାର୍‌ରେ ଭର୍ତ୍ତି ହୋଇଥିଲେ । ସେଠାରେ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା । ଭୀମସାର୍ କୋଭିଡ୍‌-୨ରେ ଉଭୟ ଶିଶୁଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି । କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ।

୧୮ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଟିକାକରଣ ହୋଇନଥିବାରୁ ତୃତୀୟ ଲହରରେ ସେମାନେ ଅଧିକ ଆକ୍ରାନ୍ତ ହେବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ପରେ ଏହାର ମୁକାବିଲା ପାଇଁ ତତ୍ପର ହୋଇପଡିଛି ସ୍ୱାସ୍ଥ୍ୟ ବିଭାଗ । ସ୍ଥିତି ଅନୁଧ୍ୟାନ ଓ ପର୍ଯ୍ୟବେକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ ହେବ । ଯେଉଁଥିରେ ସିଡିଏମ୍‌ଓ, ପିଏଚ୍‌ଓ, ଜିଲ୍ଲା ସ୍ୱାସ୍ଥ୍ୟ ଅଧତ୍କାରୀ ଓ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ସଦସ୍ୟ ରହିବେ । ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ, ପେଡିଆଟ୍ରିକ ବେଡ୍‌ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି । ଆବଶ୍ୟକ ଉପକରଣ, ଅକ୍ସିଜେନ, ଭିତ୍ତିଭୂମି ରହିଛି । ଅଧିକ ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି । ଶିଶୁଙ୍କ ଲାଗି ୩ ହଜାର ବେଡ୍ ବ୍ୟବସ୍ଥା ହେଉଛି । ସେପଟେ ରାଜ୍ୟ ସରକାର ମଧ୍ୟ ଶିଶୁଙ୍କ ସ୍ୱତନ୍ତ୍ର ଚିକିତ୍ସା ଲାଗି ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫଙ୍କୁ ଟ୍ରେନିଂ ପ୍ରଦାନ କରୁଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଆଇସିୟୁ ବେଡ୍ ସଂରକ୍ଷିତ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version