ଦେଶରାଜ୍ୟ

ଚାଷୀ ଆନ୍ଦୋଳନ ପାଇଁ ଦିନକୁ କ୍ଷତି ୩୫୦୦ କୋଟି

ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୨/୨୦୨୦ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଯୋଗୁ ‌ଅର୍ଥନୀତିକୁ ଦୈନିକ ୩୦୦୦ରୁ ୩୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି । ଦେଶର ଶିଳ୍ପ ସଂଘ ଆସୋଚାମ ପକ୍ଷରୁ ଏହି ମୋଟାମୋଟି ଆକଳନ କରାଯାଇଛି । ବିଶେଷକରି ଏହି କୃଷକ ଆନ୍ଦୋଳନ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଉଛି । ଆସୋଚାମ ସଭାପତି ନିରଞ୍ଜନ ହିରାନନ୍ଦାନୀଙ୍କ କହିବାନୁଯାୟୀ, ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀର ଅର୍ଥନୀତିର ମୋଟ ଆକାର ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା ।କୃଷକମାନେ ବର୍ତ୍ତମାନ ଚଳାଇଥିବା ଆନ୍ଦୋଳନ ଏବଂ ଏହାର ପ୍ରଭାବରେ ରାସ୍ତା, ଟୋଲ ପ୍ଲାଜା ଏବଂ ରେଳ ଚଳାଚଳ ଆଦି ବନ୍ଦ ଯୋଗୁ ଅର୍ଥନୈତିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । କେବଳ ସେତିକି ନୁହେଁ, ବିଦେଶକୁ ବୟନଶିଳ୍ପ, ଅଟୋ ଉପକରଣ, ସାଇକଲ, କ୍ରୀଡ଼ା ସାମଗ୍ରୀ ଆଦିର ରପ୍ତାନି ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏପରିକି ଖ୍ରୀଷ୍ଟମାସ ପୂର୍ବରୁ ଉଦ୍ୟୋଗୀମାନେ ସେମାନଙ୍କ ରପ୍ତାନି ଲକ୍ଷ୍ୟ ପୂରଣ କରିପାରିବେ ନାହିଁ । ସେହିଭଳି ସର୍ବ ଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ କୁହାଯାଇଛି ଚାଷୀ ଆନ୍ଦୋଳନ ଯୋଗୁ ଗତ ୨୦ ଦିନରେ ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ରାଜ୍ୟରେ ପାଖାପାଖି ୫୦୦୦ କୋଟି ଟଙ୍କାର ବ୍ୟବସାୟ ବାଧାପ୍ରାପ୍ତ ହୋଇଛି ।

Show More
Back to top button