

ସତ୍ୟଶିଖା ( ନୂଆଦିଲ୍ଲୀ ) ୨୧.୦୩.୨୦୨୨: ୟୁକ୍ରେନ୍ ସୁମିରେ ଥିବା କେମିକାଲ ପ୍ଲାଣ୍ଟ ଉପରେ ରୁଷ ସେନା ପକ୍ଷରୁ ପ୍ରଚଣ୍ଡ ଗୁଳିମାଡ । ଫଳରେ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ହେଉଥିବା ସୂଚନା ମିଳିଛି । ଏହାର ପ୍ରଭାବ ୫ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହେଉଛି । ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ତେଣୁ ଲୋକଙ୍କୁ ବନ୍ଦ ଘରେ ଓ ଅଣ୍ଡରଗ୍ରାଉଣ୍ଡ ସେଲ୍ଟରରେ ରହିବା ପାଇଁ କୁହାଯାଇଛି ।
ଆବଶ୍ୟକ ହେଲେ ତୁରନ୍ତ ଗାଧୋଇବା ପାଇଁ ମଧ୍ୟ ଲୋକଙ୍କୁ କୁହାଯାଇଛି । ଯୁଦ୍ଧର ୨୬ ଦିନରେ ରୁଷ ସେନା ପକ୍ଷରୁ ୟୁକ୍ରେନ୍ ଉପରେ ଜୋରଦାର ଆକ୍ରମଣ କରାଯାଉଛି । ମାରିୟୁପୋଲ ସହରକୁ ନିଜ କବଜାକୁ ନେବାକୁ ଚେଷ୍ଟା ଚଳାଇଛି ରୁଷ ସେନା । ସଂଧ୍ୟା ସୁଦ୍ଧା ଅସ୍ତ୍ର ଛାଡିବାକୁ ୟୁକ୍ରେନକୁ ଚେତାବନୀ ଦେଇଥିଲା ରୁଷ । ହେଲେ ସରେଣ୍ଡର କରିବ ନାହିଁ ବୋଲି କହିଛି ୟୁକ୍ରେନ୍ । ୟୁକ୍ରେନ୍ର ଉପ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ମାରିୟୁପୋଲକୁ ସମର୍ପଣ କରିବାର କୌଣସି ପ୍ରଶ୍ନ ଉଠୁନାହିଁ ।
ମାରିୟୁପୋଲ ସହର ଉପରେ ବାରମ୍ବାର ଆକ୍ରମଣ କରୁଛି ରୁଷ ସେନା । ମାରୁୟୁପୋଲରେ ଖାଦ୍ୟ, ପିଇବା ପାଇଁ ସଂପୂର୍ଣ୍ଣ ଠପ୍ ହୋଇଯାଇଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୨୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେପଟେ ଯୁଦ୍ଧ ସ୍ଥିତି ଉପରେ ପୂରା ନଜର ରଖିଛି ଆମେରିକା । ଆସନ୍ତା ୨୫ ତାରିଖରେ ପୋଲାଣ୍ଡ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି ।