ସତ୍ୟଶିଖା (ନୂଆଦିଲ୍ଲୀ) ୨୯/୧୨/୨୦୨୦ : ଆତଙ୍କବାଦୀମାନେ ଦେଶର ସବୁଠୁ ବଡ଼ ଶତ୍ରୁ । ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଏମାନେ ବଡ଼ ବିପଦ । ଦେଶରେ ଶାନ୍ତି ଭଙ୍ଗ କରିବା ପଛରେ ଏମାନଙ୍କର ରହିଛି ପ୍ରମୁଖ ଭୂମିକା । ତେଣୁ ଏମାନଙ୍କ ମୂଳୋତ୍ପାଟନ ଲାଗି ପ୍ରସ୍ତୁତ ହେଉଛି କେନ୍ଦ୍ରୀୟ ଅର୍ଦ୍ଧସୈନିକ ବାହିନୀ ସିଆରପିଏଫ । ସିଆରପିଏଫ ପକ୍ଷରୁ ଯବାନମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଯୋଦ୍ଧା ଟିମ୍ ପ୍ରସ୍ତୁତ କରାଯିବ । ଏହି ଟିମ୍ ଯେଉଁ ଜ୍ଞାନକୌଶଳରେ ଯୁଦ୍ଧ ଉପକରଣ ପ୍ରସ୍ତୁତ କରିବ ସେହି କୌଶଳ ‘ଅଜେୟ’ ନାମରେ ଜଣାଯିବ । ଅଜେୟ ଅର୍ଥାତ ଯାହାକୁ ପରାସ୍ତ କରାଯାଇ ପାରିବ ନାହିଁ । ଏଥିପାଇଁ ଗବେଷଣା ଉପରେ ଧ୍ୟାନ ଦିଆଯିବ ବୋଲି ସିଆରପିଏଫର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଏହି ଯୋଜନା ଲାଗି ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ଏବଂ ଆଇଆଇଟି ମିଳିତ ଭାବେ କାମ ଆରମ୍ଭ କରିଛନ୍ତି । ସିଆରପିଏଫ ଯୋଦ୍ଧାମାନଙ୍କ ଦ୍ବାରା ପ୍ରସ୍ତୁତ କୌଶଳ ‘ଅଜେୟ’ ଦ୍ବାରା ଶତ୍ରୁଙ୍କୁ କଡ଼ା ଜବାବ ଦିଆଯାଇପାରିବ । ବିଶେଷ କରି ଆତଙ୍କବାଦୀ ତଥା ନକ୍ସଲମାନଙ୍କୁ ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ କରାଯାଇପାରିବ । କେବଳ ଏତିକି ନୁହେଁ, ସିଆରପିଏଫର ଟପ୍ ଇଞ୍ଜିନିୟର ଯୋଦ୍ଧାମାନଙ୍କୁ ଡିଆରଡିଓ ଲ୍ୟାବ୍ରେ କାମ କରିବାର ସୁଯୋଗ ମଧ୍ୟ ମିଳିବ ।