ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଓଡ଼ିଶାରେ ପହଞ୍ଚିଲା କରୋନା ଟୀକା ‘କୋଭିସିଲ୍ଡ’

ସତ୍ୟଶିଖା (ଭୁବନେଶ୍ୱର) ୧୨/୦୧/୨୦୨୧ : କରୋନା ମହାମାରୀ ସମୟରେରେ ଆସିଛି ସବୁଠାରୁ ବଡ଼ ଖୁସି ଖବର । ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି କରୋନା ଟିକା ‘କୋଭିସିଲ୍‌ଡ’ । ଅପରାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଟୀକା ପହଞ୍ଚିଛି । ପୁଣେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ୍ ଜେଟ ବିମାନରେ ଟୀକା ଅଣାଯାଇଛି । ଆଜି ଓଡ଼ିଶାରେ ୪ଲକ୍ଷ ୮୦ହଜାର କରୋନା ଟୀକା ପହଞ୍ଚିଛି ।

ପୂର୍ବରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା ଭିତରେ ଟୀକା ଗୁଡ଼ିକୁ ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ନିଆଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଟୀକା ବିତରଣ କରାଯିବ । ଆଜି ରାତିରୁ ହିଁ ଟୀକାକରଣ କେନ୍ଦ୍ରଗୁଡ଼ିକୁ ‘କୋଭିସିଲ୍ଡ’ କରୋନା ଟୀକା ପଠାଯିବ । ଏହାପରେ ଅର୍ଥାତ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ ।ସୋମବାର ଦେଶରରେ କରୋନା ଟୀକାକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଦେଶରେ ଟୀକାକରଣ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ପଯ୍ୟାୟରେ ଓଡ଼ିଶାକୁ ୪୦, ୮୦୦ ବୋଟଲରେ ୪ ଲକ୍ଷ ୮ ହଜାର ଡୋଜ ଆସିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ଡୋଜ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ ବୋଲି କୁହାଯାଇଥିଲା ।

ପୁଣେସ୍ଥିତ ସେରମ୍‌ ଇନିଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ପ୍ରଥମ ଦଫାରେ ଭାରତ ସରକାର ୧୧ ମିଲିୟନ ଡୋଜ୍‌ ଟିକା ଆଣିବେ । ସୋମବାର ସନ୍ଧ୍ୟାରେ ସରକାର ଟୀକା ନେବା ପାଇଁ ଅର୍ଡର ଦେଇଥିଲେ । ଏହାପରେ ତିନୋଟି ଟୀକା ଭର୍ତ୍ତି ଟ୍ରକ ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଆସି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା । ଏହି ସମସ୍ତ ଟୀକାକୁ ୮ଟି ବିମାନ ଜରିଆରେ ଦେଶର ୧୩ଟି ବିଭିନ୍ନ ସ୍ଥାନକୁ ପଠାଯାଇଥିଲା ।ଭାରତ ସରକାର ପକ୍ଷରୁ ଜାନୁୟାରୀ ୧୬ ତାରିଖରୁ ଦେଶରେ ଟୀକାକରଣ ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯିବ । ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ଟୀକାକରଣ ବେଳେ ଯେମିତି କିଛି ଅସୁବିଧା ନ ହେବ, ସେଥିପାଇଁ ଦେଶର ସବୁ ରାଜ୍ୟରେ କରୋନା ଟୀକାର ଡ୍ରାଏରନ୍‌ ସଫଳତାର ସହ ସମ୍ପାଦନ କରାଯାଇଛି ।

Show More
Back to top button