ସତ୍ୟଶିଖା ୧୧ .୦୯.୨୦୨୦ : ମୃତ୍ୟୁ ପରେ ବି ସେମାନଙ୍କୁ କେହି ଅଲଗା କରିପାରିବେନି । ଏଭଳି ବିଶ୍ୱlସ ରଖି ପରସ୍ପରର ହାତକୁ ବାନ୍ଧି ଡେଇଁ ପଡିଥିଲେ ମହାନଦୀକୁ । ମହାନଦୀରୁ ଚିତ୍ରୋତ୍ପଳା ଏବଂ ପରେ ଲୁଣା ନଦୀରେ ଉଭୟଙ୍କ ଶବ ଭାସି ଭାସି ଯାଇ ଆଜି ତିନି ଦିନ ପରେ ଉଦ୍ଧାର ହୋଇଛି । ଝିଅର ବାମ ହାତ ସହିତ ପୁଅର ଡାହାଣ ହାତ ବନ୍ଧା ହୋଇ ରହିବା ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଛି । କଟକର ଦୁଇ ପ୍ରେମୀ ଯୁଗଳଙ୍କ ଏଭଳି ମୃତ୍ୟୁ ବିଭିନ୍ନ ମହଲରେ ଉଦ୍ବେଗ ସୃଷ୍ଟି କରିଛି । ମୃତ ପ୍ରେମୀ ଯୁଗଳ ହେଉଛନ୍ତି କଟକ ଚାଉଳିଆଗଂଜ ଥାନା ଅନ୍ତର୍ଗତ ଶିଖରପୁର ଉପରସାହିରେ ଭଡା ନେଇ ରହୁଥିବା ଚିତ୍ତରଂଜନ ଜେନାଙ୍କ ପୁଅ ତୁଷାର ଜେନା (୨୧) ଓ ତାଙ୍କର ପଡୋଶୀ ଅଙ୍କିତା ସିଂହ (୧୪) ।
ତୁଷାର ଓ ଅଙ୍କିତାଙ୍କ ପ୍ରେମ କାହାଣୀ ପୁରା ସାହି ଜାଣିଥିଲା । କିନ୍ତୁ ଝିଅ ନାବାଳିକା ହେଇଥିବାରୁ ଝିଅର ପରିବାର ଲୋକ ଏହାର ଦୃଢ ବିରୋଧ କରୁଥିଲେ । ଏଭଳି ସ୍ଥିତିରେ ଉଭୟ ଗଲା ୭ ତାରିଖ ସୋମବାର ଭୋର ସମୟରେ ଘରୁ ପଳାଇ ଯାଇଥିଲେ । ସେମାନେ ପରସ୍ପରର ହାତକୁ ଏକ ରୁମାଲରେ ବାନ୍ଧି ମହାନଦୀରେ କାଳିଆବୁଦା ପୋଲ ଉପରୁ ଡେଇଁ ପଡିଥିବା ସନ୍ଦେହ କରାଯାଇଥିଲା । କିନ୍ତୁ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ନମିଳିବାରୁ ନାବାଳିକାର ପରିବାର ପକ୍ଷରୁ ମାଲଗୋଦାମ ଥାନାରେ ଏକ ଅପହରଣ ଅଭିଯୋଗ ହୋଇଥିଲା । ପୁଲିସ ଦଫା ୩୬୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଇଆଇସି ରବି ନାରାୟଣ ଭଞ୍ଜଙ୍କ କହିବା ଅନୁଯାୟୀ ଅଭିଯୋଗ ମିଳିବାର ଅଧଘଣ୍ଟା ଭିତରେ ଅପହରଣ ମାମଲା ରୁଜୁ କରି କଟକ-ଭୁବନେଶ୍ୱର ରେଳ ଷ୍ଟେସନ, ପୁରୀ, ପୁଅର କିଛି ସମ୍ପର୍କୀୟଙ୍କ ଘରେ ଯାଞ୍ଚ କରାଯାଇଥିଲା । କିନ୍ତୁ ପୁଅର ମୋବାଇଲ ଫୋନ ଶିଖରପୁରରେ ବନ୍ଦ ହେଇଥିବା ଯୋଗୁଁ ତା’ର ଲୋକେସନ ଜଣାପଡ଼ିନଥିଲା ।
ତୁଷାର ଜେକେବିକେ କଲେଜରେ ଗ୍ରାଜୁଏସନ କରିବା ପରେ ଏକ ଘରୋଇ ଋଣ ଆଦାୟକାରୀ ସଂସ୍ଥାରେ ନୂଆକରି ଚାକିରି ଆରମ୍ଭ କରିଥିଲେ । ଝିଅ ସ୍ଥାନୀୟ ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ୮ମ ଶ୍ରେଣୀରେ ପଢୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ତିନି ବର୍ଷ ହେବ ପ୍ରେମ ସଂପର୍କ ଗଢି ଉଠିଥିଲା । ଏ କଥା ଜଣାପଡ଼ିବା ପରେ ନାବାଳିକାର ପରିବାର ଲୋକ ଉଭୟଙ୍କୁ ତାଗିଦ କରିଥିଲେ । କିନ୍ତୁ ସେମାନଙ୍କୁ ମରିଗଲା ପରେ ବି କେହି ଅଲଗା କରିପାରିବେ ନାହିଁ ବୋଲି ସେମାନେ ତାଙ୍କ ସାଙ୍ଗସାଥୀଙ୍କୁ କହିଥିବା ବେଳେ ତାହାକୁ କରି ଦେଖାଇ ଦେଲେ ବୋଲି ଆଲୋଚନା ହେଉଛି ।