ଆତ୍ମାହୁତି ଉଦ୍ୟମ କଲେ ଦମ୍ପତି ବିଧାନସଭା ଆଗରେ

ସତ୍ୟଶିଖା (ଭୁବନେଶ୍ୱର) ୨୪/୧୧/୨୦୨୦ : ବିଧାନସଭା ଆଗରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କଲେ ଦମ୍ପତି । ଆଜି ବିଧାନସଭା ଚାଲିଥିବା ସମୟରେ ରାସ୍ତାରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବିଧାନସଭାର ହାଇସିକ୍ୟୁରିଟ୍‌ ଜୋନ୍‌ରେ ହଠାତ ଦମ୍ପତି ନିଜ ଦେହରେ କିରୋସିନ ଠାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ତେବେ ସଠିକ ସମୟରେ ଘଟଣାସ୍ଥଳରେ ଥିବା ପୁଲିସ କର୍ମଚାରୀ ଦମ୍ପତିଙ୍କୁ କାବୁ କରିନେଇଥିଲେ ।ତେବେ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରୁଥିବା ଦମ୍ପତି ନୟାଗଡର ବୋଲି ସୂଚନା ମିଳିଛି । କିଛି ଦିନ ତଳେ ନୟାଗଡରେ ପାଞ୍ଚ ବର୍ଷୀୟ ଜଣେ ନାବାଳିକା (ପରୀ) ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ନପାଇ ଦମ୍ପତି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି । ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତି ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କ ଝିଅ (ପରୀ)କୁ ହତ୍ୟା କରାଯାଇ ତାର କିଡନୀ ଓ ଆଖିକୁ ବିକ୍ରି କରାଯାଇଛି । ଝିଅ ନିଖୋଜ ହେବାପରେ ଦମ୍ପତି ଥାନାରେ ଅଭିଯୋଗ କରିଥିଲେ ଏପରିକି ଏସପି ନିକଟରେ ମଧ୍ୟ ଦ୍ବାରସ୍ତ ହୋଇଥିଲେ କିନ୍ତୁ ପୁଲିସ କୌଣସି ପଦକ୍ଷେପ ନେଇନଥିଲେ । ଏହାପରେ ପରୀ ନିଖୋଜ ହେବାର କିଛି ଦିନ ପରେ ବାଡି ପଟରେ ପରୀର ମୃତଦେହ ମିଳିଥିଲା ।ପରୀର ମୃତ ଶରୀର ମିଳିବା ପରେ ଦମ୍ପତି ବାରମ୍ବାର ନ୍ୟାୟ ମାଗି ଆସୁଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନାହିଁ । ନ୍ୟାୟ ତ ମିଳିଲାନାହିଁ ଦମ୍ପତିଙ୍କୁ ଆକ୍ରମଣର ଶିକାର ହେବାକୁ ପଡିଥିଲା । ଦିର୍ଘ ୩ ମାସ ଧରି ଝିଅ (ପରୀ)ର ହତ୍ୟାକାଣ୍ଡରେ ନ୍ୟାୟ ନପାଇ ଆଜି ଦମ୍ପତି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି ।

Exit mobile version