ସତ୍ୟଶିଖା (ନୂଆଦିଲ୍ଲୀ) ୨/୧୧/୨୦୨୦ : ସାଧାରଣ ଜନତା ଓ ସରକାରଙ୍କ ସମସ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଲକଡାଉନ୍ ପରେ ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି । ଏହାସହ ରାଜସ୍ବ ଆଦାୟ ମଧ୍ୟ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ଜିଏସଟି ଆଦାୟ ୧.୦୫ ଲକ୍ଷ କୋଟିରେ ପହଞ୍ଚିଛି ଯାହା ଗତବର୍ଷ ଅକ୍ଟୋବର ମାସ ତୁଳନାରେ ୧୦ ପ୍ରତିଶତ ଅଧିକ ରହିଛି । ଯାନବାହାନ ବିକ୍ରି ମଧ୍ୟ ବଢିଛି । ଫଳରେ ଆର୍ଥିକ ବ୍ୟବସ୍ଥା ସୁଧୁରିବାରେ ଲାଗିଛି । ଅକ୍ଟୋବରରେ ବିଜୁଳି ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି । ଅର୍ଥ ମନ୍ତ୍ରାଳୟ କହିଛି ଯେ, ଅକ୍ଟୋବର ୩୧ ତାରିଖ ସୁଦ୍ଧା ଦାଖଲ କରାଯାଇଥିବା ଜିଏସଟିଆର-୩ବି ରିଟର୍ନ ସଂଖ୍ୟା ୮୦ ଲକ୍ଷରେ ପହଞ୍ଚିଛି । ଅକ୍ଟୋବରରେ ମୋଟ ଜିଏସଟି ସଂଗ୍ରହ ୧୦୫୧୫୫ କୋଟି ଟଙ୍କା ରହିଛି । ଏଥିରେ ସିଜିଏସଟି ଅଂଶ ୧୯୧୯୩ କୋଟି ଟଙ୍କା, ଏସଜିଏସଟି ୫୪୧୧ କୋଟି ଟଙ୍କା, ଆଇଜିଏସଟି ୫୨୫୪୦ କୋଟି ଟଙ୍କା ଏବଂ ୮୦୧୧ କୋଟି ଟଙ୍କାର ଉପକାର ସାମିଲ ରହିଛି ।
କରୋନା ସଙ୍କଟ ପରେ ପାର୍ବଣ ଋତୁରେ ବାହାନ ବିକ୍ରି ମଧ୍ୟ ବୃଦ୍ଧି ପାଇଛି । ଅନେକ କମ୍ପାନୀର ଗାଡି ବିକ୍ରି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ରହିଛି । ନବରାତ୍ର ସମୟରେ କିୟା ମୋଟର୍ସ, ଟୟୋଟା କିର୍ଲୋସ୍କର ମୋଟର, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ହୋଣ୍ଡା କାରର ବିକ୍ରି ମଧ୍ୟ ବୃଦ୍ଧି ପାଇଛି । ଦେଶର ସବୁଠାରୁ ବଡ କାର କମ୍ପାନୀ ମାରୁତି ବିକ୍ରି ନବରାତ୍ରରେ ୨୭ ପ୍ରତିଶତ ବୃଦ୍ଧି ପାଇ ୯୬ ହଜାର ୭୦୦ ୟୁନିଟରେ ପହଞ୍ଚିଛି । କିୟା ମୋଟର୍ସର ବିକ୍ରି ୨୨୪ ପ୍ରତିଶତ ବୃଦ୍ଧି ପାଇ ୧୧ ହଜାର ୬୪୦ ୟୁନିଟରେ ପହଞ୍ଚିଛି । ଟୟୋଟା କିର୍ଲୋସ୍କର ମୋଟର ବିକ୍ରି ୫ ହଜାର ୟୁନିଟ ବୃଦ୍ଧି ପାଇଛି ଯାହା ଗତ ବର୍ଷ ଏହି ଅବଧି ତୁଳନାରେ ୧୩ ପ୍ରତିଶତ ଅଧିକ । ନବରାତ୍ରରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ବୁକିଂ ୪୧ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଚାହିଦା କୋଭିଡ୍ ପୂର୍ଵ ସ୍ଥିତିକୁ ପହଞ୍ଚି ଯାଇଛି । ଅକ୍ଟୋବରରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ୬.୬ ପ୍ରତିଶତ ବୃଦ୍ଧି ପାଇଛି । ଲକଡାଉନ୍ ପରେ ଅକ୍ଟୋବର ମାସରେ ଡିଜେଲ୍ ବିକ୍ରି ବୃଦ୍ଧି ପାଇଛି । ଏହାସହ ସାର୍ବଜନିକ ପରିବହନ ପରିବର୍ତ୍ତେ ଘରୋଇ ଗାଡି ବ୍ୟବହାର ଯୋଗୁଁ ପେଟ୍ରୋଲ ଚାହିଦା ଡିଜେଲ ଅପେକ୍ଷା ଅଧିକ ରହିଛି। ଅକ୍ଟୋବରରେ ବିକ୍ରି ଆଶାନୁରୂପ ଭଲ ଫଳ ଦେଇଛି ।
ଦେଶରେ ବିଜୁଳି ବ୍ୟବହାର ଚଳିତ ଅକ୍ଟୋବରରେ ୧୩.୩୮ ପ୍ରତିଶତ ବୃଦ୍ଧି ପାଇ ପାଖାପାଖି ୧୧୧ ଅରବ ୟୁନିଟ ହୋଇଛି । କାରଣ ଶିଳ୍ପ ଏବଂ ବ୍ୟବସାୟିକ କାର୍ଯ୍ୟକଳାପ ତରଫରୁ ବିଜୁଳି ଚାହିଦା ବୃଦ୍ଧିପାଇଛି । ବିଦ୍ୟୁତ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଅକ୍ଟୋବରରେ ଦେଶର ବିଦ୍ୟୁତ୍ ବ୍ୟବହାର ୧୧୦.୯୪ ୟୁନିଟ ରହିଥିଲା । ଗତ ବର୍ଷ ଅକ୍ଟୋବରରେ ଏହା ୯୭.୮୪ ଅରବ ୟୁନିଟ ଥିଲା । ଆଗାମୀ ମାସରେ ଏହି ସ୍ଥିତି ଆହୁରି ସୁଧୁରିବ ନେଇ ଆଶା କରାଯାଉଛି । ସୂଚନା ଅନୁଯାୟୀ, ୬ମାସ ଅନ୍ତରାଳରେ ବିଜୁଳି କ୍ଷେତ୍ରରେ ଚାହିଦା ସୁଧୁରିବ ଆରମ୍ଭ ହୋଇଛି ।
ଉଦ୍ୟୋଗ ମଣ୍ଡଳ F.I.C.C.I କହିବାନୁଯାୟୀ, ଦେଶର କୋଭିଡ-୧୯ ରଣନୀତି ଠିକ ପ୍ରମାଣିତ ହୋଇଛି ଏବଂ ଅର୍ଥ ବ୍ୟବସ୍ଥା ଖୁବ ଶୀଘ୍ର ସୁଧୁରିଯିବ । F.I.C.C.I ଅଧ୍ୟକ୍ଷ ସଂଗୀତ ରେଡ୍ଡୀ କହିଛନ୍ତି ଯେ, ବର୍ତ୍ତମାନ ଦୃଢ ପଦକ୍ଷେପ ଓ ବୁଦ୍ଧିମତାର ସହ କାମ କରିବା ସମୟ ଆସିଛି । ସେ କହିଛନ୍ତି ଯେ ସାରା ଦୁନିଆର ସରକାରମାନଙ୍କ ମଧ୍ୟରେ ଜୀବନ ଓ ଅଜୀଵିକା ସଂରକ୍ଷଣ ମଧ୍ୟରେ ସନ୍ତୁଳନକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ଭାରତ ଶକ୍ତ ଲକଡାଉନ ଲାଗୁ କରିଥିଲା ଏବଂ ସୁସ୍ଥ ଜୀବନକୁ ଆଗକୁ ବଢାଇବାକୁ ଜୀବନ ରକ୍ଷା କରିବାରେ ଧ୍ୟ କେନ୍ଦ୍ରିତ କରିଥିଲା । ଏହି ରଣନୀତିର ଫଳାଫଳ ଠିକ ଆସିଛି । ଉନ୍ନତ ଚିକିତ୍ସା, ଚିକିତ୍ସା ଭିତ୍ତିଭୂମି, ପିପିଇ ଯୋଗାଣ ବୃଦ୍ଧି ଉପରେ ଧ୍ୟାନ ଦିଆଯାଇଥିଲା । ଯାହାଫଳରେ ଦେଶରେ ମୃତ୍ୟୁହାରକୁ ନିୟନ୍ତ୍ରଣ କରାଯାଇଛି ବୋଲି ସେ କହିଛନ୍ତି ।