

ସତ୍ୟଶିଖା ୧୦/୦୨/୨୦୨୧ : ରାଜ୍ୟରେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ପ୍ରକୋପ ଅନୁଭୂତ ହେବ । ଏହାପରେ ଧୀରେଧୀରେ ରାଜ୍ୟର ପାରଦ ନିମ୍ନଗାମୀ ହେବ। ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ । ଫଳରେ ରାଜ୍ୟରୁ ଶୀତ ହଜିଯିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟର ତିନି ଜିଲ୍ଲାରେ ପ୍ରବଳ ଶୀତ ଲହରି ପ୍ରବାହିତ ହେବ। ଉକ୍ତ ଜିଲ୍ଲାଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ।
ଏହି ତିନି ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଏହି ଜିଲ୍ଲାବାସୀ ରାତିରେ ବାହାରକୁ ନ ବାହାରିବା, ବାଇକ୍ ଓ ଖୋଲା ଗାଡ଼ିରେ ଯାତ୍ରା ନ କରିବା ତଥା ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍(ଏସ୍ଆର୍ସି) ପ୍ରଦୀପ ଜେନା । ଏଥିସହ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ କହିଛନ୍ତି । ନିରାଶ୍ରୟ ଓ ଯାଯାବରମାନଙ୍କ ପାଇଁ ସ୍କୁଲ, କମ୍ୟୁନିଟି ବିଲ୍ଡିଂ ଆଦି ଖୋଲା ରଖିବାକୁ ଏସ୍ଆର୍ସି ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ।