ସତ୍ୟଶିଖା (ଭୁବନେଶ୍ୱର) ୩୦/୧୦/୨୦୨୦ : ନଭେମ୍ବରରୁ ଖୋଲିପାରେ ସିନେମା ହଲ୍ । ସେଥିପାଇଁ ଆଗୁଆ ପ୍ରସ୍ତୁତି ହେଲେଣି ହଲ୍ ମାଲିକ । ପ୍ରେକ୍ଷାଳୟର ସିଟ୍ ସାନିଟାଇଜ୍ କରାଯିବା ସହ ଭିତର ସଫାସୁତୁରା କରାଯାଇଛି । ସବୁ କିଛି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ଅପେକ୍ଷା ଦର୍ଶକ ଏବଂ ସୋ’କୁ ।
ରାଜଧାନୀର ବିଭିନ୍ନ ସିଙ୍ଗଲ୍ ସ୍କ୍ରିନ୍ ଏବଂ ମଲ୍ଟି ସ୍କ୍ରିନ୍ ପକ୍ଷରୁ ପୁଣି ଥରେ ହଲ୍ ଖୋଲିବା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କୋଭିଡ୍ କଟକଣା ମାନି କିପରି ଦର୍ଶକ ସୁବିଧାରେ ସୋ’ ଦେଖିବେ ସେଥିପାଇଁ ସ୍ୱତନ୍ତ୍ର ରିହର୍ସାଲ୍ କରାଯାଉଛି । କର୍ମଚାରୀଙ୍କୁ ପରିଚାଳନା ସମ୍ପର୍କରେ ତାଲିମ୍ ଦିଆଯାଉଛି । ହଲ୍ ପ୍ରବେଶ ପଥରେ ଏବଂ ଟିକେଟ୍ କାଉଣ୍ଟର ସାମ୍ନାରେ ସାମାଜିକ ଦୂରତା ମାନିବା ପାଇଁ ନିୟମ ମୁତାବକ ଗୋଲେଇ କଟା ଯାଇଛି । ସେହି ଭିତରେ ରହି ଦର୍ଶକ ହଲ୍କୁ ପ୍ରବେଶ କରିବେ ଏବଂ ଟିକେଟ୍ କାଟିବେ । ଯେହେତୁ ଅନ୍ଲାଇନ୍ରେ ଟିକେଟ୍ ବ୍ୟବସ୍ଥା ରହୁଛି ତେଣୁ କାଉଣ୍ଟର ଆଗରେ ପ୍ରାୟତଃ ଭିଡ଼ ହେବ ନାହିଁ । କେବଳ ପ୍ରବେଶ ସମୟରେ ଭିଡ଼କୁ ଦୂରେଇବାକୁ ଏଭଳି ବ୍ୟବସ୍ଥା ହୋଇଛି ।