ନ୍ୟୁଜ୍ମନୋରଞ୍ଜନରାଜ୍ୟସିନେମାସ୍ପେଶାଲ୍ ରିପୋର୍ଟ

ସିନେମା ହଲ୍ ନଭେମ୍ବରରୁ ଖୋଲିବ!

ସତ୍ୟଶିଖା (ଭୁବନେଶ୍ୱର) ୩୦/୧୦/୨୦୨୦ : ନଭେମ୍ବରରୁ ଖୋଲିପାରେ ସିନେମା ହଲ୍‌ । ସେଥିପାଇଁ ଆଗୁଆ ପ୍ରସ୍ତୁତି ହେଲେଣି ହଲ୍‌ ମାଲିକ । ପ୍ରେକ୍ଷାଳୟର ସିଟ୍‌ ସାନିଟାଇଜ୍‌ କରାଯିବା ସହ ଭିତର ସଫାସୁତୁରା କରାଯାଇଛି । ସବୁ କିଛି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ଅପେକ୍ଷା ଦର୍ଶକ ଏବଂ ସୋ’କୁ ।

ରାଜଧାନୀର ବିଭିନ୍ନ ସିଙ୍ଗଲ୍‌ ସ୍କ୍ରିନ୍‌ ଏବଂ ମଲ୍ଟି ସ୍କ୍ରିନ୍‌ ପକ୍ଷରୁ ପୁଣି ଥରେ ହଲ୍‌ ଖୋଲିବା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କୋଭିଡ୍‌ କଟକଣା ମାନି କିପରି ଦର୍ଶକ ସୁବିଧାରେ ସୋ’ ଦେଖିବେ ସେଥିପାଇଁ ସ୍ୱତନ୍ତ୍ର ରିହର୍ସାଲ୍‌ କରାଯାଉଛି । କର୍ମଚାରୀଙ୍କୁ ପରିଚାଳନା ସମ୍ପର୍କରେ ତାଲିମ୍‌ ଦିଆଯାଉଛି । ହଲ୍‌ ପ୍ରବେଶ ପଥରେ ଏବଂ ଟିକେଟ୍‌ କାଉଣ୍ଟର ସାମ୍ନାରେ ସାମାଜିକ ଦୂରତା ମାନିବା ପାଇଁ ନିୟମ ମୁତାବକ ଗୋଲେଇ କଟା ଯାଇଛି । ସେହି ଭିତରେ ରହି ଦର୍ଶକ ହଲ୍‌କୁ ପ୍ରବେଶ କରିବେ ଏବଂ ଟିକେଟ୍‌ କାଟିବେ । ଯେହେତୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବ୍ୟବସ୍ଥା ରହୁଛି ତେଣୁ କାଉଣ୍ଟର ଆଗରେ ପ୍ରାୟତଃ ଭିଡ଼ ହେବ ନାହିଁ । କେବଳ ପ୍ରବେଶ ସମୟରେ ଭିଡ଼କୁ ଦୂରେଇବାକୁ ଏଭଳି ବ୍ୟବସ୍ଥା ହୋଇଛି ।ଏହା ବ୍ୟତୀତ ଭିତରକୁ ପ୍ରବେଶ ପରେ ହାତକୁ ଭଲ ଭାବେ ସାନିଟାଇଜ୍‌ କରିବା ଲାଗି ମେସିନ୍‌ ଲଗାଯାଇଛି । ସେହିପରି ଦୀର୍ଘ ୭ମାସ ଧରି ହଲ୍‌ ବନ୍ଦ ଥିବାରୁ ଭିତରକୁ ପରିସ୍କାର, ପରିଚ୍ଛନ୍ନ ଓ ସାନିଟାଇଜ୍‌ କରାଯାଇଛି । ଦର୍ଶକ ଗ୍ୟାଲେରୀର ପ୍ରତିଟି ଚେୟାରକୁ ପୋଛା ଯିବା ସହ ସାନିଟାଇଜ୍‌ କରି ଫୁଲ୍‌ ପ୍ରସ୍ତୁତିରେ ରହିଛନ୍ତି ହଲ୍‌ ମାଲିକ । ସେମାନଙ୍କ ଆଶା ଯେହେତୁ କେନ୍ଦ୍ର ସରକାର ଅକ୍ଟୋବର ୧୫ରୁ ହଲ୍‌ ଖୋଲିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ତେଣୁ ଏବେ ରାଜ୍ୟ ସରକାର ଦେଇପାରନ୍ତି । ସେଥିଲାଗି ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ୁଛି । ଯଦି ପ୍ରସ୍ତୁତ ନରହିବା ତେବେ ହଠାତ୍‌ ନିର୍ଦ୍ଦେଶ ଆସିଲେ ସବୁ ସୁବିଧା ହୋଇପାରିବନି ବୋଲି କେଶରୀ ହଲ୍‌ର ଜଣେ କର୍ମଚାରୀ କହିଛନ୍ତି । କେଶରୀ ହଲ୍‌ରେ ସବୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବାହାରେ ଲେଖା ଯାଇଛି ଖୁବ୍‌ଶୀଘ୍ର ଫେରୁଛୁ । ଏହାକୁ ଦେଖି କିଛି ସିନେପ୍ରେମୀଙ୍କ ମନରେ ଆଶା ଜାଗ୍ରତ ହୋଇଛି । ଅନ୍ୟ ହଲ୍‌ମାନେ ବି ପ୍ରସ୍ତୁତ ରହିଛନ୍ତି ।ସୂଚନାଯୋଗ୍ୟ, ମହାମାରୀ କରୋନା ଯୋଗୁ ଦୀର୍ଘଦିନ ହଲ୍‌ ବନ୍ଦ ରହିବା ପରେ ସିନେମା ଶିଳ୍ପ ବହୁତ ପ୍ରଭାବିତ ହୋଇଛି। କୌଣସି ସିନେମା ରିଲିଜ୍‌ ହୋଇପାରୁନି । ହଲ୍‌ର କର୍ମଚାରୀମାନେ ରୋଜଗାର ହରାଇଛନ୍ତି । ମାଲିକମାନେ ବିଦ୍ୟୁତ୍‌, ପାଣି ଠାରୁ ଆରମ୍ଭ କରି ଅନେକ ଦେୟ ପଇଠ କରିପାରୁନାହାନ୍ତି । ବ୍ୟାଙ୍କ ଋଣ, ଇଏମ୍‌ଆଇ ସୁଝି ପାରୁନାହାନ୍ତି । ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ସଂଖ୍ୟାଧିକ ହଲ୍‌ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦେଇଛନ୍ତି । ସେମାନେ ଆଉ ଖୋଲିବେ ନାହିଁ ବୋଲି ଏକ ପ୍ରକାରର ନିଷ୍ପତ୍ତି ନେଇଛନ୍ତି କହିଲେ ଚଳେ । କାରଣ ସେମାନଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଏମିତିରେ ରାଜ୍ୟରେ ମାତ୍ର ୯୦ଟି ହଲ୍‌ ଥିଲାବେଳେ ସେଥିରୁ ଯଦି ଅଧା ଅଧି ବନ୍ଦ ହୋଇଯାଏ ତେବେ ସିନେମା ଶିଳ୍ପର ଭାଗ୍ୟ କ’ଣ ହେବ ସରକାର ଚିନ୍ତା କରିବାର ଆବଶ୍ୟକତା ରହିଛି । ସେଥିପାଇଁ ସରକାର ସହଯୋଗ କରିବାକୁ ହଲ୍‌ମାନଙ୍କ ପକ୍ଷରୁ ନିବେଦନ କରାଯାଇଛି ।

Show More
Back to top button