ନ୍ୟୁଜ୍ରାଜ୍ୟ

ରାଜ୍ୟବାସୀଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇ କୋଭିଡ୍ ନିୟମ ମାନିବାକୁ କହିଲେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର )୧୩.୧୦ .୨୦୨୧:  କରୋନା ଭାଇରସ୍ ଏବେବି ରହିଛି । ରୂପ ବଦଳାଇ ଭୟଙ୍କର ଆକ୍ରମଣ କରିବାର ତା’ର ଶକ୍ତି ରହିଛି । ତେଣୁ ଆମକୁ ସତର୍କ ରହିବାକୁ ହେବ । ବିଶେଷକରି ଶାରଦୀୟ ଦୂର୍ଗାପୂଜାରେ କୋଭିଡ୍ ନିୟମକୁ ମାନି ସୁରକ୍ଷିତ ଭାବେ ମା’ଙ୍କ ପୂଜାରେ ସାମିଲ ହେଲେ କରୋନା କିଛି କ୍ଷତି କରିପାରିବ ନାହିଁ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପବିତ୍ର ଦୁର୍ଗା ପୂଜା ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମା’ଦୁର୍ଗାଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ ବୋଲି କାମନା କରି କହିଛନ୍ତି ଯେ କୋଭିଡ୍ ନିୟମ ପାଳନରେ କୌଣସି ଢିଲା ହେବା ଉଚିତ ନୁହେଁ ।

ନହେଲେ ସ୍ଥିତି ଭୟଙ୍କର ହୋଇପାରେ । ଆପଣଙ୍କ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିରାପଦ ଭାବରେ ଜୀବନ ଜୀବିକାରେ ସହଯୋଗ କରନ୍ତୁ । ତେଣୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ଅଧିକ ଯତ୍ନଶୀଳ ହୁଅନ୍ତୁ । ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ କଲେ କରୋନା ସଂକ୍ରମଣ ଆଉ ବଢ଼ିବ ନାହିଁ । ଏହି ଦାୟିତ୍ୱପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ରୋକିପାରିବ ।

କରୋନା ସଂକ୍ରମଣ ପାଇଁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ବାରମ୍ବାର ସତର୍କ କରାଉଛନ୍ତି । ଗତ ଅଗଷ୍ଟ ୪ରେ ମୁଖ୍ୟମନ୍ତ୍ରୀ କହିଥିଲେ, ଯୁଦ୍ଧ ସରିନାହିଁ, ଆହୁରି ବାକି ରହିଛି । ତେଣୁ ନିୟମ ମାନ, ନହେଲେ ହେବ ‘ଲକ୍‌ଡାଉନ’ । ଏହି ଚେତାବନୀ ପରେ ରାଜ୍ୟରେ ସାଧାରଣ ଲୋକ କିଛିଟା ସତର୍କତା ଅବଲମ୍ବନ କରିଥିଲେ । ଶାରଦୀୟ ଦୂର୍ଗାପୂଜାରେ ସଂକ୍ରମଣ ବଢ଼ିବାର ସମ୍ଭାବନା ଥିବାରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି ।

Show More
Back to top button