

ସତ୍ୟଶିଖା(ଭବାନୀପାଟଣା/ଜୁନାଗଡ଼ )୦୮.୧୧ .୨୦୨୧: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ । ଏହାକୁ ନେଇ କଳାହାଣ୍ଡି ବିଜେଡ଼ି ଶିବିର ଚଳଚଞ୍ଚଳ ହୋଇ ପଡ଼ିଛି । ସେହିପରି ନିଜ ପ୍ରିୟ ନେତାଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇବେ କଳାହାଣ୍ଡିବାସୀ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଉତ୍ସାହିତ ଅଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତର ଦିନକ ପୂର୍ବରୁ ଅର୍ଥାତ ରବିବାର ଜୁନାଗଡ଼ର ବଜାର ପଡ଼ିଆ ଠାରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡ଼ି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଧର୍ମଗଡ଼ ଓ ଜୁନାଗଡ଼ ଅଞ୍ଚଳର ପ୍ରାୟ ୩ ହଜାରରୁ ଊଦ୍ଧ୍ୱର୍ ବିଜେପି ଓ କଂଗ୍ରେସ କର୍ମୀ ଏକ ବିଶାଳ ବାଇକ୍ ରାଲିରେ ଆସି ମିଶ୍ରଣ ପର୍ବରେ ବିଜେଡ଼ିରେ ସାମିଲ୍ ହୋଇଛନ୍ତି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସେମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ଶ୍ରୀ ଦାସ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି । ଏହି ମିଶ୍ରଣ ପର୍ବ ଫଳରେ ଦଳର ଶକ୍ତି ଆହୁରି ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନ୍ରୁାଣିତ ହୋଇ ବିଜେପି ଓ କଂଗ୍ରେସ କର୍ମୀମାନେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିଜେଡ଼ିମୟ ହେବ ବୋଲି ଶ୍ରୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର, କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଜିଲ୍ଲା ବିଜେଡ଼ିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ମିଶ୍ରଣ ପର୍ବ ପୂର୍ବରୁ ବାଇକ୍ ରାଲି ଅବସରରେ ଜୁନାଗଡ଼ କଲେଜ ଛକ ଠାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି । ଘଟଣାସ୍ଥଳରେ ବିଜେଡ଼ି କର୍ମୀ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ପରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା ।