

ସତ୍ୟଶିଖା( ଭୁବନେଶ୍ୱର )୨୩.୦୭. ୨୦୨୨: ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୫ ତାରିଖରେ ସଂସଦର ସେଣ୍ଟ୍ରାଲ ହଲ୍ରେ ହେବ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ । ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ଶପଥ ଗ୍ରହଣରେ ଯୋଗ ଦେବାକୁ ନବୀନଙ୍କୁ ନିମନ୍ତ୍ରଣ କରାଯାଇଛି । ଗସ୍ତ ଅବସରରେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶନିବାର ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ।
ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଦ୍ରୌପଦୀଙ୍କ ସହ ଫୋନ୍ରେ କଥା ହୋଇ ନବୀନ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଏହି ସଫଳତାରେ ରାଜ୍ୟବାସୀ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି । ଓଡ଼ିଆ ଝିଅ ଦ୍ରୌପଦୀଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ସର୍ବପ୍ରଥମ ସମର୍ଥନ ଘୋଷଣା କରିଥିଲେ ନବୀନ । ତା’ ପରଠାରୁ ରାକ୍ଷୀ ବାନ୍ଧି ଥିବା ଭଉଣୀ ଦ୍ରୌପଦୀଙ୍କୁ ଦେଶର ଶୀର୍ଷତମ ପଦରେ ବସାଇବାକୁ ଲାଗିପଡ଼ିଥିଲେ ସେ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକଙ୍କ ଭୋଟ ଦ୍ରୌପଦୀଙ୍କ ସପକ୍ଷରେ କେମିତି ଯିବ, ସେ ନେଇ ଉଦ୍ୟମ ଜାରି ରଖିଥିଲେ ।