ମିଛ କହି ଖସି ଯାଉଛଇ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର) ୧୪.୧୧.୨୦୨୩ :  ଦୋଷ ଲୁଚାଇବାରେ ମାହିର ବିଜେଡି ସରକାର । କେବଳ କହିବେ କେନ୍ଦ୍ର ଦେଉନି, ଆମେ କେଉଁଠୁ ଆଣିବୁ । ହେଲେ କେନ୍ଦ୍ର ଯେ ଏବେ ଦେଇ ଦେଇ ଥକିଲାଣି ସେ କଥାକୁ କିନ୍ତୁ ସ୍ଵୀକାର କରୁନାହାନ୍ତି ମୁଖ୍ୟମନ୍ତ୍ରୀ । ବରଂ ନିଜର ଅପରାଗତା ଲୁଚାଇବାକୁ ହରଦମ କରୁଛନ୍ତି ପ୍ରୟାସ । ଆଉ ହନ୍ତସନ୍ତ ହେଉଛନ୍ତି ଖାଉଟି ।

ବଜାରରେ ପିଆଜ ଦର ଆସି ପହଂଚିଲାଣି ୬୦ ଉପରେ । ହେଲେ ନାଫେଡ୍‌ରେ କେନ୍ଦ୍ର ଦେଉଛି ୨୫ ଟଙ୍କାରେ । ସେମିତି ଅଟା ଏବେ ୪୦ ଉପରେ ହେଲେ କେନ୍ଦ୍ର ଯୋଗାଇ ଦେବ ମାତ୍ର ୨୭ ଟଙ୍କା ୫୦ ପଇସାରେ । କେନ୍ଦ୍ର ତ ଦେଉଛି କିନ୍ତୁ ରାଜ୍ୟ ପାଉନି । ବରଂ ଦୋଷ ଲୁଚାଇ ଦେଉଛି । ହେଲେ ପ୍ରଶ୍ନ ଏଠାରେ କୁଆଡେ ଗଲା ରାଜ୍ୟର ପ୍ରାଇସ୍ ଷ୍ଟାବିଲାଇଜେସନ ଫଣ୍ଡ ?

କେବଳ ପିଆଜ କି ଅଟା ନୁହେଁ ବରଂ ଅନେକ ସମୟରେ ଆଳୁ ସହ ଡାଲିର ରେଟ ବି ଅହେତୁକ ବୃଦ୍ଧି ପାଇଥାଏ ।  ଆଉ ଏମିତି ନିଅଣ୍ଟିଆ ସ୍ଥିତିର ମୁକାବିଲା କରିବା ଲାଗି ୨୦୧୪-୧୫ ଆର୍ଥିକ ବର୍ଷରେ ପ୍ରାଇସ୍ ଷ୍ଟାବିଲାଇଜେସନ୍ ଫଣ୍ଡ ଗଢ଼ିଥିଲେ କେନ୍ଦ୍ର ସରକାର । ରାଜ୍ୟସଭାରେ ଗତ ଅଗଷ୍ଟ ୧୧ରେ କେନ୍ଦ୍ର ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଦେଇଥିବା ତଥ୍ୟ ଅନୁଯାୟୀ, ଗଲା ୮ ବର୍ଷରେ ପ୍ରାଇସ୍ ଷ୍ଟାବିଲାଇଜେସନ୍ ଫଣ୍ଡକୁ ମିଳିଛି ୨୭ ହଜାର ୪୮୯ କୋଟି ଟଙ୍କା । ଏଥିରେ ପିଆଜ, ଅଟା, ଡାଲି, ଖାଇବା ତେଲ ଭଳି ୨୨ଟି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ଲାଗି ଉଦ୍ୟମ କରାଯାଇଛି । ଅନ୍ୟପକ୍ଷରେ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ବି ନିଜସ୍ୱ ପିଏସଏଫ୍ ଫଣ୍ଡ ଗଢ଼ିବା ଲାଗି ଆର୍ଥିକ ସହାୟତା ଦେଉଛି । ଏ ବାବଦକୁ ଏଯାଏଁ ଓଡ଼ିଶା ୭୫ କୋଟି ଟଙ୍କା ପାଇଛି । ସେହିପରି ଗତ ବଜେଟରେ ରାଜ୍ୟ ସରକାର ପ୍ରାଇସ ଷ୍ଟାବିଲାଇଜେସନ୍ ଫଣ୍ଡ ପାଇଁ ୧୦୦ କୋଟିର ବ୍ୟବସ୍ଥା କରିଥିଲେ । ହେଲେ ରାଜ୍ୟ ସରକାର ନିଦାବିଷ୍ଣୁ ହୋଇ ବସିଛି । କାନ୍ଦୁଛନ୍ତି ଖାଉଟି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଦେଶରେ ୨୨ ଅତ୍ୟାବଶ୍ୟକ ସାମଗ୍ରୀର ବଜାର ଦର ଉପରେ କେନ୍ଦ୍ର ନଜର ରଖେ । ଆଉ ଏହାର ଦର ବଢିଲେ କେନ୍ଦ୍ର କମ ପଇସାରେ ଲୋକଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ବି କରେ । ହେଲେ ରାଜ୍ୟରେ ଏବେ ଅତ୍ୟାବଶ୍ୟକୀଯ ସାମଗ୍ରୀର ଦର ଅହେତୁକ ବଢିବା ପରେ ବି ଚେଇଁ ଶୋଇଛନ୍ତି ସରକାର । ତେଣୁ ପିଏସଏଫ ଟଙ୍କା କୁଆଡେ ଗଲା ତାହାକୁ ନେଇ ଉଠିଲାଣି ପ୍ରଶ୍ନ । ହେଲେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ କେନ୍ଦ୍ର ଉପରେ ଅଯଥାରେ ଦୋଷ ଲଦି ଚୁପ୍‌ ବସିଛନ୍ତି ରାଜ୍ୟ ସରକାର ।

Exit mobile version