‘ମେକ୍ ଇନ୍ ଓଡ଼ିଶା’ ପାଇଁ ୩୦ ରାଷ୍ଟ୍ରଦୂତଙ୍କ ସହ ବୈଠକ କଲେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା( ଭୁବନେଶ୍ୱର )୦୧.୦୯ . ୨୦୨୨: ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା-୩ ଓ ପୁଞ୍ଜିନିବେଶକ ସମ୍ମିଳନୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ବୈଠକ କରିଛନ୍ତି । ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକ୍କି) ସହଯୋଗରେ ଆଜି ନୂଆଦିଲ୍ଲୀରେ ୩୦ଟି ଦେଶର ରାଷ୍ଟ୍ରଦୂତ ଓ ୫୦ଟି ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ବୈଠକ କରି ଭୁବନେଶ୍ୱରରେ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ’ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଓଡ଼ିଶାର ଦ୍ରୁତ ଅର୍ଥନୀତିକ ଅଭିବୃଦ୍ଧି, ଦୀର୍ଘ ଦେଢ଼ଦଶନ୍ଧି ଧରି ଜାତୀୟ ହାରଠୁ ଓଡ଼ିଶାର ଅଭିବୃଦ୍ଧି ହାର କ୍ରମାଗତ ଅଧିକ ରହିବା ଓ ପୂର୍ବଭାରତର ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଅବଗତ କରିବା ସହ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆଗ୍ରହ କରିଛନ୍ତି । ତେବେ ଭାରତ ସରକାରଙ୍କ କୌଣସି ଅଧିକାରୀ ଏହି ପ୍ରସ୍ତୁତି ବୈଠକରେ ସାମିଲ ହୋଇନଥିବା ଜଣାପଡ଼ିଛି। ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଓ ପୁଞ୍ଜିନିବେଶ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ରାଜ୍ୟରେ ପ୍ରାକୃତିକ ସମ୍ପଦର ସୁଯୋଗ ଓ ରଣନୀତିକ ଅବସ୍ଥାନ ଯୋଗୁ ପୂର୍ବଭାରତର ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଓଡ଼ିଶା ଦ୍ରୁତ ଗତିରେ ଉଭା ହୋଇଛି । ଗତ ୨୦ବର୍ଷ ମଧ୍ୟରେ ରାଜ୍ୟ ସରକାର ନିଜର ପ୍ରଗତିଶୀଳ ନୀତି, ଦକ୍ଷ ପ୍ରଶାସନ ଓ ବୈଷୟିକ ହସ୍ତକ୍ଷେପ ମାଧ୍ୟମରେ ଏହି ପ୍ରାକୃତିକ ସମ୍ବଳଗୁଡ଼ିକର ଉପଯୋଗ ଉପରେ ଧ୍ୟାନ ଦେଇ ଆସୁଛନ୍ତି । ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମେକ୍ ଇନ୍ କନକ୍ଲେଭ-୨୨ ଅନୁଷ୍ଠିତ ହେବ । ଏଥିରେ ଯୋଗ ଦେବାକୁ ସେ ସମସ୍ତଙ୍କୁ ଆମନ୍ତ୍ରଣ ଜଣାଇବା ସହ ଏହି କନକ୍ଲେଭରେ ଓଡ଼ିଶାର ଭାଗିଦାରୀ ହେବାକୁ ଅନୁରୋଧ କରିଛନ୍ତି । ଏହି କନକ୍ଲେଭ ସ୍ଥଳୀରେ ଆନ୍ତର୍ଜାତିକ ପାଭିଲିୟନ୍ ମଧ୍ୟ ସ୍ଥାପିତ ହେବ ଓ ଏଠାରେ ନିଜର ଷ୍ଟଲ୍ ବା ଅଫିସ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଥିପାଇଁ ସମସ୍ତ ଆବଶ୍ୟକ ସହଯୋଗ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି କହିଛନ୍ତି। ସେହିପରି ମୁଖ୍ୟ ସଚିବ ସୁରେଶ ମହାପାତ୍ର ନିଜର ଉଦଘାଟନୀ ସମ୍ବୋଧନରେ କହିଥିଲେ ଯେ, ୨୦୧୬ ମସିହାରୁ ଏହି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ହେଉଛି । ୨୦୧୬ କନକ୍ଲେଭରେ ମୋଟ ୧୮୫୦୦ଜଣ ଆସିଥିବାବେଳେ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୧୨୦ଟି ପ୍ରସ୍ତାବ ମିଳିଥିଲା । ସେହିପରି ୨୦୧୮ କନକ୍ଲେଭକୁ ୪୫୦୦୦ଜଣଙ୍କ ଆଗମନ ହୋଇଥିବାବେଳେ ୪ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିଲା । ଚଳିତବର୍ଷର କନକ୍ଲେଭକୁ ଅଧିକ ସଫଳ କରିବା ନିମନ୍ତେ ଶ୍ରୀ ମହାପାତ୍ର ବିଦେଶୀ ରାଷ୍ଟ୍ରଦୂତମାନଙ୍କର ସହଯୋଗ ଲୋଡ଼ିଥିଲେ । ସମସ୍ତେ ଓଡ଼ିଶାର ଅଭିବୃଦ୍ଧିରେ ଭାଗିଦାରୀ ହୁଅନ୍ତୁ ବୋଲି ସରକାର ଚାହୁଁଥିବା ଶ୍ରୀ ମହାପାତ୍ର କହିଥିଲେ।

Exit mobile version