

ସତ୍ୟଶିଖା ୨୨/୦୯/୨୦୨୫:ହିନ୍ଦୁ ଧର୍ମରେ ନବରାତ୍ରୀର ଉତ୍ସବ ବହୁତ ମହତ୍ତ୍ୱ ରଖିଥାଏ । ଏହି ନବରାତ୍ର ୯ ଦିନ ପାଳନ କରାଯାଏ । ଏହି ପୂଜା ସମ୍ପୂର୍ଣ୍ଣ ଭାବରେ ମା’ ଦୁର୍ଗାଙ୍କୁ ସମର୍ପଣ କରାଯାଇଥାଏ । ନବରାତ୍ରୀ ପାଳନ ପୂର୍ବରୁ ଘଟ ସ୍ଥାପନର ବିଶେଷ ମହତ୍ତ୍ୱ ରହିଛି । ତେବେ ଏଥର ନବରାତ୍ର ପଡିଛି ୧୦ ଦିନ । ଏଥର ଘଟ ସ୍ଥାପନର ଶୁଭ ମୁହୂର୍ତ୍ତ ସକାଳ ୬ଟା ୦୯ମିନିଟ୍ରୁ ଆରମ୍ଭ ହୋଇ ୮ଟା ୦୬ ମିନିଟ୍ ଯାଏ ରହିଛି । ପୁନଶ୍ଚ ଘଟ ସ୍ଥାପନର ଅଭିଜିତ୍ ମୁହୂର୍ତ୍ତ ହେଉଛି ଦ୍ୱିପ୍ରହର ୧୧ଟା ୪୯ମିନିଟ୍ରୁ ୧୨ଟା ୩୮ମିନିଟ୍ । ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ ଯେ ନବରାତ୍ରୀ ଅବସରରେ ମା’ଦୁର୍ଗା ସ୍ୱୟଂ ଧରାବତରଣ କରିଥାନ୍ତି । ଏହି ସମୟରେ ଦେବୀଙ୍କୁ ନିଷ୍ଠା ଓ ଭକ୍ତି ସହ ପୂଜାର୍ଚ୍ଚନା କଲେ ତାଙ୍କର କୃପା ସହଜରେ ପ୍ରାପ୍ତ ହୋଇଥାଏ । ମା’ଙ୍କ କୃପାରୁ ସାଧକ ଜୀବନରୁ ସମସ୍ତ ପ୍ରକାରର କଷ୍ଟ ଦୂର ହୋଇଯାଏ ।
ନବରାତ୍ରୀ ଅବସରରେ ମା’ ଯେଉଁ ବାହନ ଯୋଗେ ପୃଥିବୀ ପୃଷ୍ଠକୁ ଆଗମନ କରିଥାନ୍ତି ତାହାର ବିଶେଷତ୍ୱ ରହିଛି । ଏଥର ମା’ ହାତୀ ଉପରେ ବସି ଧରାପୃଷ୍ଠକୁ ଆସିବେ ବୋଲି ଜ୍ୟୋତିଷ ଶାସ୍ତ୍ରୀମାନେ ଜଣାଇଛନ୍ତି । ହାତୀ ଉପରେ ବସି ଆସୁଥିବାରୁ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ହେବ । ହାତୀ ବାହନରେ ଦେବୀଙ୍କ ଆଗମନ ମଧ୍ୟ ଏହା ସୂଚନା ଦିଏ ଯେ ଆଗାମୀ ଦିନଗୁଡ଼ିକ ଦେଶ ପାଇଁ ଶୁଭଦାୟକ ହେବ । ସାରା ଦେଶବାସୀଙ୍କର ସୁଖ-ସମୃଦ୍ଧି ବଢ଼ିବ ।
‘ଦେବୀ ଭାଗବତ’ ଅନୁଯାୟୀ ନବରାତ୍ରୀ ଯେଉଁ ବାରରୁ ଆରମ୍ଭ ହୁଏ ସେହି ଅନୁସାରେ ଦେବୀ କେଉଁ ବାହନରେ ଆସିବେ ଜଣାଯାଏ । ଏଥର ସୋମବାରଠାରୁ ନବରାତ୍ରୀ ଆରମ୍ଭ ହେଉଛି । ଏଣୁ ଦେବୀଙ୍କ ବାହନ ହାତୀ ନବରାତ୍ରୀର ପ୍ରଥମ ଦିନ ରବିବାର ପଡ଼ିଲେ ତାହା ମଧ୍ୟ ଦେବୀ ହାତୀ ବାହନରେ ଆସୁଥିବାର ସୂଚନା ଦିଏ । ନବରାତ୍ରୀ ମଙ୍ଗଳବାର କିମ୍ବା ଶନିବାର ଆରମ୍ଭ ହେଉଥିଲେ ଦେବୀଙ୍କ ବାହନ ଘୋଡ଼ା ବା ଅଶ୍ୱ । ଗୁରୁବାର କିମ୍ବା ଶୁକ୍ରବାର ନବରାତ୍ରୀର ପ୍ରଥମ ଦିନ ପଡ଼ିଲେ ଦେବୀ ଦୋଳାରେ ବସି ଆସିଥାନ୍ତି । ଅନ୍ୟପକ୍ଷରେ ନବରାତ୍ରୀ ବୁଧବାରୁ ଆରମ୍ଭ ହେଉଥିଲେ, ଦୁର୍ଗତିନାଶିନୀ ମା’ ଦୁର୍ଗା ନୌକାରେ ବସି ଧରାଧାମକୁ ଆସିବେ ବୋଲି ପୂର୍ବ ସୂଚନା ମିଳେ ।