ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ଦେଶବାସୀଙ୍କ ନଗଦ ମୋହ, ଜରୁରୀ ସମୟ ପାଇଁ ପାଖରେ ରଖୁଛନ୍ତି

ସତ୍ୟଶିଖା (ମୁମ୍ବାଇ) ୧୧/୦୧/୨୦୨୧ : ଦେଶରେ ଡିଜିଟାଲ୍ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ନଗଦ ଟଙ୍କାକୁ ଲୋକମାନେ ଭୁଲି ପାରୁନାହାନ୍ତି । ମହାମାରୀ ପରବର୍ତୀ ସମୟରେ ବଜାରରେ ଥିବା ନଗଦ ଟଙ୍କା ପରିମାଣ ୧୩% ବଢ଼ିଛି । ଏବେ ବଜାରରେ ୨୭ ଲକ୍ଷ ୭୦ ହଜାର ୩୧୫ କୋଟି ଟଙ୍କା ମୂଲ୍ୟର ନଗଦ ‌‌ରାଶି ରହିଛି । ୨୦୨୦ ମାର୍ଚ୍ଚ ୩୧ ତୁଳନାରେ ଏହା ପ୍ରାୟ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ । ସେହି ସମୟରେ ବଜାରରେ ୨୪ ଲକ୍ଷ ୪୭ ହଜାର ୩୧୨ କୋଟି ଟଙ୍କା ମୂଲ୍ୟର ନଗଦ ରାଶି ଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟ ମୁତାବକ ୨୦୧୯ର ଏପ୍ରିଲ୍-ଡିସେମ୍ବରରେ ନଗଦ ରାଶି ପରିମାଣ ୬% ବଢ଼ିଥିଲା । ମାତ୍ର ୨୦୨୦ର ସେହି ସମୟରେ ଏହାର ପରିମାଣ ଦୁଇ ଗୁଣାରୁ ଅଧିକ ଅର୍ଥାତ ୧୩% ବଢ଼ିଛି । ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଯୋଗୁଁ ଲୋକମାନେ ନିଜ ପାଖରେ ଅଧିକ ନଗଦ ଟଙ୍କା ରଖିବାକୁ ଚାହୁଛନ୍ତି । ଏ ସମ୍ପର୍କରେ କେୟାର ରେଟିଙ୍ଗସ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନାଭିସ୍‌ କହିଛନ୍ତି ଯେ ଲକ୍‌ଡାଉନ୍ ପରେ ଲୋକମାନେ ସତର୍କ ହୋଇଯାଇଛନ୍ତି । ହଠାତ କୌଣସି ଜରୁରୀ କାର୍ଯ୍ୟ ପଡ଼ିଲେ ନଗଦର ଅଭାବ ଯୋଗୁଁ ଅସୁବିଧା ଭୋଗିବାକୁ ପଡ଼ିପାରେ ବୋଲି ସେମାନେ ଭାବୁଛନ୍ତି ।

ସେଥିପାଇଁ ନିଜ ପାଖରେ ଅଧିକ ନଗଦ ରଖିବାକୁ ଚାହୁଛନ୍ତି । କେବଳ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ଲୋକମାନେ ନିଜ ପାଖରେ ଅଧିକ ଟଙ୍କା ରଖୁଛନ୍ତି । ଏହା ପଛରେ ଅନ୍ୟ କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି । ୨୦୨୦ର ୧୨ ମାସରେ ପ୍ରଚଳନରେ ଥିବା ମୁଦ୍ରା ମୂଲ୍ୟ ୫,୦୧,୪୦୫ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୨୭, ୭୦, ୩୧୫ ଲକ୍ଷ କୋଟି ଟଙ୍କ‌େ‌ରେ ପହଞ୍ଚିଛି । ବଜାରରେ ଏବେ ୨, ୫, ୧୦, ୨୦, ୫୦, ୧୦୦, ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଅଛି । ସେହିପରି କଏନ୍‌ ଭାବେ ୫୦ ପଇସା, ଟଙ୍କିକିଆ, ୨, ୫ ଓ ୧୦ ଟଙ୍କିଆ କଏନ ରହିଛି । ବଜାରରେ ମୋଟ ନୋଟ୍ ମଧ୍ୟରୁ ୮୩.୪ ପ୍ରତିଶତ ହେଉଛି ୫୦୦ ଓ ୨୦୦୦ ଟଙ୍କିଆ । ୫୦୦ ଟଙ୍କିଆ ନୋଟ୍‌ର ଭାଗ ଦ୍ରୁତ ଗତିରେ ବଢ଼ିଛି । ସଂଖ୍ୟା ଦୃଷ୍ଟିରୁ ୧୦ ଟଙ୍କିଆ ଓ ୧୦୦ ଟଙ୍କିଆ ଅଧିକ ରହିଛି । ବଜାରରେ ‌ଯେତିକି ସଂଖ୍ୟକ ନୋଟ୍‌ ପ୍ରଚଳନରେ ରହିଛି ତାହାର ୪୩.୪ ପ୍ରତିଶତ ହେଉଛି ୧୦ ଓ ୧୦୦ ଟଙ୍କିଆ ନୋଟ୍ ‌। ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ସରକାରଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ଋଣ ପରିମାଣ ଗତ ମାର୍ଚ୍ଚରେ ୯,୯୨,୧୯୨ କୋଟି ଟଙ୍କା ଥିଲା । ୨୦୨୧ ଜାନୁଆରି ସୁଦ୍ଧା ତାହା ୧୧,୦୨,୦୫୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେଥିରୁ ୧୦,୯୬,୫୨୬ କୋଟି ଟଙ୍କା କେବଳ କେନ୍ଦ୍ର ସରକାରଙ୍କୁ ଋଣ ଆକାରରେ ଦିଆଯାଇଛି ।

Show More
Back to top button