କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ


ସତ୍ୟଶିଖା (ବିନିକା)୦୫.୦୩.୨୦୨୧: ଧୁମଧାମରେ ସମ୍ପନ୍ନ ହେଲା ବିବାହ । ବେଦୀରେ ହାତଗଣ୍ଠି ପଡିବା ସହ ବାହା ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ଜୀବନସାଥୀ ମଧ୍ୟ ହେଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ବାପଘରୁ ଶାଶୁ ଘରକୁ ଯାଇପାରିଲେନି ନବବଧୂ । କେତେ ଆଶା ନେଇ ସ୍ୱାମୀଙ୍କ ସହ ସୁଖରେ ସଂସାର କରିବେ ବୋଲି ଭାବିଥିଲେ । ଗୋଟିଏ ଦିନରେ ସବୁ ହୋଇଗଲା ଛାରଖାର । ବାପଘର ଛାଡି ଶାଶୁ ଘରକୁ ଯିବାବେଳେ ଚାଲିଗଲା ନବବଧୂଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଝୁଲୁଣ୍ଡା ଗାଁରେ । ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଝୁଲୁଣ୍ଡା ଗାଁର ରୋଜି ସାହୁ ଓ ବଲାଙ୍ଗୀର ଜିଲ୍ଲା ତେତେଲ ଗାଁରୁ ବରଯାତ୍ରୀ ଝୁଲୁଣ୍ଡା ଆସିଥିଲେ । ଧୁମଧାମରେ ଭୋଜି ଭାତ ହେବାପରେ ବିବାହ ସମ୍ପନ୍ନ ହୋଇଥିଲା । ଝିଅ ରୋଜି ଓ ପୁଅ ବିସିକେଶନ ସାହୁଙ୍କ ଗୋଡ଼ ଧୋଇ ଉଭୟଙ୍କୁ ବିଦାୟ ଦେବା ସମୟରେ କାନ୍ଦି କାନ୍ଦି ହଠାତ୍ ଝିଅ ଚେତାଶୂନ୍ୟ ହୋଇ ଯାଇଥିଲେ । ସେଠାରୁ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କାନ୍ଦି କାନ୍ଦି ତାଙ୍କର ହୃଦଘାତ ହୋଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।