

ସତ୍ୟଶିଖା(ଆଠମଲ୍ଲିକ) ୧୭/୭: ଦଲାଲ୍ ସାଜିଲା ପ୍ରେମିକ । ପ୍ରେମ ଜାଲରେ ଫସାଇ ଘରୁ ଉଠାଇ ନେବା ପରେ ସୁଦୂର ଉତ୍ତର ପ୍ରଦେଶରେ ଦୁଇ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି ଆଠମଲ୍ଲିକ ଥାନାରେ। ଯୁବତୀଙ୍କ ମା’ ଭିଡିଓ କଲ୍ରେ ଝିଅ ସହ କଥା ହେବା ପରେ ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଝିଅକୁ ସେଠାରେ ଜବରଦସ୍ତ ବିବାହ କରାଇ ଦିଆଯାଇଥିବା ବେଳେ ତାକୁ ଉଦ୍ଧାର କରିବାକୁ ମହିଳା ଜଣକ ପୁଲିସକୁ ଗୁହାରି କରିଛନ୍ତି ।
ଘଟଣାରୁ ପ୍ରକାଶ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ପୁରୁଣାମାଣିତ୍ରୀ ପଞ୍ଚାୟତ ମହେନ୍ଦ୍ରପୁର ଗ୍ରାମର ଯମୁନା ଷଣ୍ଢ (୧୯, ଛଦ୍ମନାମ) ନାମକ ଉକ୍ତ ଯୁବତୀଙ୍କୁ ବୌଦ୍ଧ ଜିଲ୍ଲା ମୁଣ୍ଡାପଡ଼ା ଗ୍ରାମର ସୁଦାମ ମହାନନ୍ଦିଆ ପ୍ରେମ ଜାଲରେ ଫସାଇଥିଲା । ବିବାହ କରିବା ଆଳରେ ଗତ ଫେବ୍ରୁଆରି ୧୦ରେ ଯମୁନାଙ୍କୁ ଘରୁ ଡାକି ନେଇଥିଲା । ବାଇକ୍ରେ ଦୁହେଁ ମହେନ୍ଦ୍ରପୁରରୁ ସିଧା ଭୁବନେଶ୍ୱର ପଳାଇଥିଲେ । ସେଠାରୁ ଟ୍ରେନ୍ରେ ଉତ୍ତରପ୍ରଦେଶ । ମେହେରୋନି ଥାନା ଇଲାକାର ଟୋରୀ ଗ୍ରାମରେ ରାମଲାଲ୍ ନାମକ ଜଣେ ବ୍ୟକ୍ତିଙ୍କ ହାତକୁ ଯମୁନାକୁ ଟେକି ଦେଇଥିଲା ସୁଦାମ । ଏଥିଲାଗି ସୁଦାମ ଦୁଇ ଲକ୍ଷ ଟଙ୍କା ଆଣିଛି । ପରେ ରାମଲାଲ୍ ଜୋର୍ କରି ଯମୁନାଙ୍କୁ ସେଠାରେ ବିବାହ କରିଥିବା ତାଙ୍କ ମା’ ଏତଲାରେ ଦର୍ଶାଇଛନ୍ତି ।
ଗତମାସ ୧୨ ତାରିଖରେ ମେହେରୋନୀ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ଜରିଆରେ ଯମୁନାଙ୍କ ମା’ ଝିଅ ସହ ଭିଡିଓ କଲ୍ କରି କଥା ହୋଇଥିଲେ । କଥାବାର୍ତ୍ତା ବେଳେ ଏ ସମସ୍ତ ଘଟଣା ସମ୍ପର୍କରେ ତାଙ୍କ ମା’ ଜାଣିବା ପରେ ଝିଅକୁ ଫେରାଇ ଆଣିବାକୁ ପୁଲିସକୁ ନିବେଦନ କରିଥିଲେ । କେବଳ ଯମୁନା ନୁହଁନ୍ତି, ଗତ ୫ ବର୍ଷରେ ଏଭଳି ଅନେକ ନିରୀହ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ରାଜ୍ୟ ବାହାରକୁ ଚାଲାଣ କରାଯାଇଥିବା ଅଭିଯୋଗ ହେଉଛି । ପରବର୍ତ୍ତୀ ସମୟରେ ସେମାନେ ଘରକୁ ଫେରୁ ନ ଥିବାରୁ ସେମାନେ ଜୀବିତ ଅଛନ୍ତି କି ନା ସେମାନଙ୍କ ପରିବାର ଲୋକଙ୍କ ପକ୍ଷେ ଜାଣିବା ସମ୍ଭବ ହେଉ ନାହିଁ । ଯମୁନାଙ୍କ ସମ୍ପର୍କରେ ପୁଲିସକୁ ସବିଶେଷ ତଥ୍ୟ ଯୋଗାଇ ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଅ।।ଯାଉନାହିଁ । ସେପଟେ ଦଲାଲ୍ ସୁଦାମ ବେଫିକର ହୋଇ ବୁଲୁଥିବା ଜଣାପଡ଼ିଛି ।
ଏ ସମ୍ପର୍କରେ ଯୋଗାଯୋଗ କରାଯିବାରୁ ଆଠମଲ୍ଲିକ ଏସ୍ଡିପିଓ ଭବାନୀ ଶଙ୍କର ଉଦ୍ଗାତା ଯୁବତୀ ଚାଲାଣକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଯମୁନାଙ୍କର ବାହାଘର ଟୋରୀ ଗ୍ରାମରେ ହୋଇଛି । ବର୍ତ୍ତମାନ କୋଭିଡ୍-୧୯ କଟକଣା ଯୋଗୁଁ ଆଠମଲ୍ଲିକ ପୁଲିସ ଉତ୍ତରପ୍ରଦେଶ ଯାଇପାରୁନାହାନ୍ତି କି ରାମଲାଲ୍-ଯମୁନା ଆଠମଲ୍ଲିକ ଆସିପାରୁ ନାହାନ୍ତି ବୋଲି ଏସ୍ଡିପିଓ ଶ୍ରୀ ଉଦ୍ଗାତା ପ୍ରକାଶ କରିଛନ୍ତି ।