

ସତ୍ୟଶିଖା (ଭୁବନେଶ୍ୱର) ୨୨ /୧୨/୨୦୨୦ : ଜୟଦେବ ବାଟିକା ପରିସରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀ ଅର୍ଚ୍ଚିତା ବେହେରାଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଖଣ୍ଡଗିରି ଥାନା ପୁଲିସ୍ ଆତ୍ମହତ୍ୟା କହି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ହେଁ ପରିବାରଲୋକ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ତାଙ୍କ ଝିଅ ଆତ୍ମହତ୍ୟା କରିନାହିଁ, ବରଂ ତାକୁ ଅପହରଣ ଓ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏହି ଆପରାଧିକ କାର୍ଯ୍ୟକଳାପର ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ଯୋଗୀ ବେହେରା ନାମକ ଜଣେ ଯୁବକ ବୋଲି ସେମାନେ କହିଛନ୍ତି । କିନ୍ତୁ ଏ ସଂପର୍କରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଖଣ୍ଡଗିରି ଥାନା ପୁଲିସ୍ ତଦନ୍ତ କରୁ ନାହିଁ । ଏହାର ପ୍ରତିବାଦରେ ଆଜି ପରିବାରଲୋକ ଆଜି ପୁଲିସ୍ ସେବା ଭବନ ସମ୍ମୁଖରେ ଧାରଣା ଦେଇଥିଲେ । କିଛି ସମୟ ଧାରଣାରେ ବସିବା ପରେ ଆସନ୍ତା ସୋମବାର ଏନେଇ ବିସ୍ତୃତ ଆଲୋଚନା କରାଯିବ ବୋଲି ପୁଲିସ୍ କମିସନର୍ଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଫେରି ଯାଇଥିଲେ ।
ଅପରପକ୍ଷେ ଏହି ଘଟଣାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମୃତ ଅର୍ଚ୍ଚିତାଙ୍କ ପରିବାରଙ୍କୁ ଧାରଣାସ୍ଥଳରେ ଭେଟିଥିଲେ । ପରିବାରବର୍ଗଙ୍କୁ ଆଶ୍ବାସନା ଦେବା ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି ବୋଲି ଗଣମାଧ୍ୟମରେ ଅଭିଯୋଗ କରିଥିଲେ । ଏନେଇ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି । ଅଭିଯୋଗ ମୁତାବକ, ଗତ ନଭେମ୍ବର ୧୦ ତାରିଖରେ ଜୟଦେବ ବାଟିକା ପରିସରରେ ଥିବା ଏକ ଗଛରୁ ଗଞ୍ଜାମ ପୋଲସରା ଥାନା ବଡ଼ଙ୍କଦବଡ଼ ଗ୍ରାମର ବିଶ୍ବନାଥ ବେହେରାଙ୍କ ଝିଅ ଅର୍ଚ୍ଚିତାଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଥିଲା । ଖଣ୍ଡଗିରି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲା । ହତ୍ୟା ଆଶଙ୍କା କରି ପୁଲିସ୍ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିଥିଲା । କିନ୍ତୁ ଅର୍ଚ୍ଚିତା ଏକୁଟିଆ ଜୟଦେବ ବାଟିକା ଭିତରକୁ ପ୍ରବେଶ କରୁଥିବା ସିସିଟିଭି ଫୁଟେଜ୍ରୁ ପ୍ରମାଣ ମିଳିଥିଲା । ତେଣୁ ସେ ଆତ୍ମହତ୍ୟା କରିଥିବା ପୁଲିସ୍ ଗ୍ରହଣ କରି ନେଇଥିଲ । କିନ୍ତୁ ମୃତକାଙ୍କ ମା’ ବିରାଜିନୀ ବେହେରାଙ୍କ ଅଭିଯୋଗ ମୁତାବକ, ଅର୍ଚ୍ଚିତା ଆତ୍ମହତ୍ୟା କରିନାହିଁ ।