

ସତ୍ୟଶିଖା(ଭୁବନେଶ୍ୱର) ୧୦.୦୭.୨୦୨୧: ରାଜ୍ୟ ସରକାର ଇକୋ ଟୁରିଜିମ ଉପରେ ଗୁରୁତ୍ୱ ଦେଇଛନ୍ତି । ପର୍ଯ୍ୟଟନର ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । କୋଭିଡ଼ ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ପର୍ଯ୍ୟଟନ ଶିଳ୍ପକୁ ନୂଆ ଦିଗ ଦେବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ସରକାର । ଏନେଇ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ସହିତ ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଆସନ୍ତା ମାସ ମଧ୍ୟରେ ବୋଟିଂ ଲାଗି ସ୍ଥାନ ଚିହ୍ନଟ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହା ସହ ଡିସେମ୍ବର ସୁଦ୍ଧା ରାଜ୍ୟର ଶହେଟି ସ୍ଥାନରେ ବୋଟିଂ ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟର ବୋଟିଂ ଏବଂ ଜଳ କ୍ରୀଡ଼ା ସମ୍ଭାବନାକୁ ବିଚାର କରି ମୁଖ୍ୟ ଶାସନ ସଟିବ 3 ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ଟାସ୍କ ଦେଇଛନ୍ତି । ଜଙ୍ଗଲ ଓ ପରିବେଶ, ଜଳ ସମ୍ପଦ ଏବଂ ପର୍ଯ୍ୟଟନ ବିଭାଗ ବୋଟିଂ ସୁବିଧା ଆରମ୍ଭ କରିବା ପାଇଁ ମିଳିତ ଭାବେ ପ୍ରାୟ 100 ଟି ସ୍ଥାନ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ମାସ ମଧ୍ୟରେ ତାଲିକା ଚୂଡ଼ାନ୍ତ କରିବାକୁ ବିଭାଗଗୁଡ଼ିକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଶୀଘ୍ର ଭାସମାନ ଜେଟି ଏବଂ ଡଙ୍ଗା ସେଟ୍ ବ୍ୟବସ୍ଥା କରିବା ସହ କାର୍ଯ୍ୟକଳାପ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।