ଖାଦ୍ୟନ୍ୟୁଜ୍ରାଜ୍ୟ

ବଳକା ଖାଦ୍ୟ ବାଣ୍ଟିବ ବିଏମ୍‌ସି

ସତ୍ୟଶିଖା (ଭୁବନେଶ୍ୱର) ୧୬/୦୨/୧୦୨୧ : ଆଉ ଡଷ୍ଟବିନ୍‌ରେ ପଡ଼ିବନି ବଳକା ଖାଦ୍ୟ। ରାସ୍ତାକଡ଼ରେ ପଡ଼ି ପରିବେଶ ଅପରିଷ୍କାର ହେବନି । ଏଣିକି ବିଏମ୍‌ସି ଲୋକଙ୍କ ନିକଟରେ ପହଞ୍ଚି ବଳକା ଖାଦ୍ୟ ସଂଗ୍ରହ କରିବ । ଏଥିନିମନ୍ତେ ଏକ ୨୪ ଘଣ୍ଟିଆ ନିଃଶୁଳ୍କ ସହାୟତା ନମ୍ବର ଜାରି ହେବ । ଉକ୍ତ ନମ୍ବରକୁ ଯୋଗାଯୋଗ କଲେ ବିଏମ୍‌ସି ସେମାନଙ୍କ ନିକଟରେ ପହଞ୍ଚି ବଳକା ଖାଦ୍ୟ ସଂଗ୍ରହ କରିବ । ବିଶେଷ କରି ହୋଟେଲ, ହଷ୍ଟେଲ, ବିବାହ ମଣ୍ଡପ, ପାର୍ଟିରେ ବହୁ ଖାଦ୍ୟ ବଳକା ରହୁଥିବାରୁ ସେଠାରୁ ସଂଗ୍ରହ ହେବ। ସଂଗୃହୀତ ଖାଦ୍ୟ ଗରିବ, ଅସହାୟ ଏବଂ ଆଶ୍ରୟସ୍ଥଳୀ ଅନ୍ତେବାସୀଙ୍କୁ ବଣ୍ଟାଯିବ । ଏନେଇ ବିଏମ୍‌ସି ପ୍ରକ୍ରିୟା ଆରମ୍ଭ କରିଛି ।

ବିନା ଅନୁମତିରେ ଅସହାୟଙ୍କୁ ମାଗଣାରେ ଖାଦ୍ୟ ବାଣ୍ଟିପାରିବ ନାହିଁ ବୋଲି ବିଏମ୍‌ସି ଆଦେଶନାମା ପ୍ରକାଶ କରିଛି । ଏହାସହ ଭିକାରିମୁକ୍ତ ସହର ଏବଂ କେହି ରାସ୍ତା କଡ଼ରେ ଯେପରି ନ ଶୋଇବେ ସେଥିପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ବ୍ୟବସ୍ଥା ହୋଇଛି । ଏହି ପଦକ୍ଷେପଗୁଡ଼ିକର ସଫଳ ରୂପାୟନ ନିମନ୍ତେ ଆଉ ପାଦେ ଆଗେଇ ବିଏମ୍‌ସି ଲୋକଙ୍କଠାରୁ ବଳକା ଖାଦ୍ୟ ସଂଗ୍ରହ କରି ଗରିବ ଏବଂ ନିରାଶ୍ରୟଙ୍କୁ ବାଣ୍ଟିବ ବୋଲି ଯୋଜନା କରିଛି । ଏହାଫଳରେ ଲୋକେ ପେଟ ଚାଖଣ୍ଡକ ପାଇଁ କାହା ଆଗରେ ଆଉ ହାତ ପତେଇବେନି କି ମନ୍ଦିର, ଧାର୍ମିକ ସ୍ଥଳୀରେ ଖାଦ୍ୟ ପାଇଁ ଅପେକ୍ଷା କରିବେନି । ଜନଗହଳିପୂର୍ଣ୍ଣ ସ୍ଥାନରେ ଅସହାୟଙ୍କୁ ଖାଦ୍ୟ ବଣ୍ଟାଯିବ ।

ବଳକା ଖାଦ୍ୟ ଦେବା ପାଇଁ ହୋଟେଲ, ହଷ୍ଟେଲ,ମଣ୍ଡପ, କାର୍ଯ୍ୟକ୍ରମର ଆୟୋଜକ ବିଏମ୍‌ସି ନିକଟରେ ଆଗୁଆ ସୂଚନା ଦେବେ । ୨୪ ଘଣ୍ଟା ନିଃଶୁକ୍ଳ ସହାୟତା ନମ୍ବର କିମ୍ବା ବିଏମ୍‌ସିକୁ ଦରଖାସ୍ତ କରି ଅନୁମତି ନେବେ । ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ସମୟରେ ବଳକା ଖାଦ୍ୟ ସଂଗ୍ରହ ହେବ । ବିଏମ୍‌ସି ଦ୍ୱାରା ନିଯୁକ୍ତ ସଂସ୍ଥାର ଗାଡ଼ି ଦାତାଙ୍କ ନିକଟରେ ପହଞ୍ଚି ଖାଦ୍ୟ ସଂଗ୍ରହ କରିବେ । ପରେ ନିର୍ଦ୍ଧାରିତ ସ୍ଥାନରେ ଏହାକୁ ସାଇତା ରଖାଯିବ । ଖାଦ୍ୟ ସଂରକ୍ଷଣ ନିମେନ୍ତ ୭ଶହ ଲିଟର ବିଶିଷ୍ଟ ରେଫ୍ରିଜେରେଟର ଏବଂ ଆବଶ୍ୟକ ପଡ଼ି‌େ‌ଲ ଖାଦ୍ୟ ଉଷୁମ ନିମନ୍ତେ ଗ୍ୟାସ୍‌ ଷ୍ଟୋଭ ରହିବ । ସଂଗୃହୀତ ଖାଦ୍ୟ ସହରର ୭ଟି ସ୍ଥାନରେ ବଣ୍ଟାଯିବ । ଦିନବେଳେ ଘରୋଇ ଅନାଥାଶ୍ରମ, ଅସହାୟ ଆଶ୍ରୟ ସ୍ଥଳୀ, ଲେପର୍ସି ପଡ଼ା, ଜରା ନିବାସ, ସମ୍‌ ହସ୍ପିଟାଲ, ମାଷ୍ଟର କ୍ୟାଣ୍ଟିନ ବସ୍‌ ଷ୍ଟାଣ୍ଡ, କିମ୍ସ ହସ୍ପିଟାଲ ପ୍ରଭୃତି ୭ଟି ସ୍ଥାନରେ ଖାଦ୍ୟ ବଣ୍ଟନ ହେବ । ସେହିପରି ରାତିରେ ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, କ୍ୟାପିଟାଲ ହସ୍ପିଟାଲ, ସମ୍‌ ହସ୍ପିଟାଲ, ଘରୋଇ ଅନାଥାଶ୍ରମ, ଅସହାୟଙ୍କ ଆଶ୍ରୟ ସ୍ଥଳୀ, ଜରା ନିବାସ, ଲେପର୍ସି ପଡ଼ା କିମ୍ସ ହସ୍ପିଟାଲରେ ଲୋକଙ୍କୁ ଖାଇବାକୁ ଦିଆଯିବ । ନଷ୍ଟ ଖାଦ୍ୟ ବିଏମ୍‌ସିର କ୍ଷୁଦ୍ର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ନିଆଯିବ ।

ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ ସାହୁ କହିଛନ୍ତି, ବଳକା ଖାଦ୍ୟ ସଂଗ୍ରହ ପରେ ମାନ ପରୀକ୍ଷା ହେବ । ଏହାପରେ ଲୋକଙ୍କୁ ଖାଇବାକୁ ଦିଆଯିବ । ଏନେଇ ଏକ ଠିକା ସଂସ୍ଥାକୁ ମନୋନୟନ କରାଯାଇଛି । ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଖାଦ୍ୟ ସଂଗ୍ରହ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।

Show More
Back to top button