

ସତ୍ୟଶିଖା ୨୬.୦୭.୨୦୨୦ : ଘରୋଇ ଶିକ୍ଷାନୁଷ୍ଠାନମାନଙ୍କୁ କଡା ନିର୍ଦ୍ଦେଶ । ଯେପର୍ଯ୍ୟନ୍ତ ସ୍କୁଲ ଖୋଲିନାହିଁ ଛାତ୍ରଛାତ୍ରୀଙ୍କୁ ଫି ମାଗିପାରିବେନି କୌଣସି ବି ବିଦ୍ୟାଳୟ କର୍ତ୍ତୃପକ୍ଷ । ଏପରିକି ସ୍କୁଲ ଫି ଜମା କରିବାରେ ଅସମର୍ଥ ଥିବା କୌଣସି ବି ଛାତ୍ର କିମ୍ବା ଛାତ୍ରୀମାନଙ୍କୁ ବିଦ୍ୟାଳୟରୁ ବାହାର କରିପାରିବେନି ଶିକ୍ଷାନୁଷ୍ଠାନ ମାଲିକ । ଯଦି ଏଭଳି କୌଣସି ଅଭିଯୋଗ ସାମ୍ନାକୁ ଆସେ ତେବେ ସଂପୃକ୍ତ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚରମ ନିଷ୍ପତି ଶୁଣାଇଛନ୍ତି ଗୁଜରାଟ ହାଇକୋର୍ଟ ।
ତାଲାବନ୍ଦ କଟକଣା ସମୟରେ ଫି ଆଳରେ ଅଭିଭାବକଙ୍କୁ ହଇରାଣ କରୁଥିବା ଘରୋଇ ଶିକ୍ଷାନୁଷ୍ଠାନ ବିରୁଦ୍ଧରେ ଏଭଳି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ଗୁଜରାଟ ସରକାର । ଏନେଇ ହାଇକୋର୍ଟଙ୍କ ନିଷ୍ପତି ପରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ଲକଡାଉନ ଅବଧିରେ ଫିସ୍ ନେଉଥିବା ଘରୋଇ ସ୍କୁଲମାନଙ୍କ ଉପରେ ଅଙ୍କୁଶ ଲଗାଯିବା ସହ ଫି ବୃଦ୍ଧି ଉପରେ ବି ରୋକ୍ ଲଗାଇଛନ୍ତି ଗୁଜରାଟ ସରକାର ।
ଗୁଜରାଟ ଶିକ୍ଷା ବିଭାଗ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଲକଡାଉନ କଟକଣା କାଳରେ କୌଣସି ବି ଅଭିଭାବକଙ୍କୁ ସ୍କୁଲ ଫିସ୍ ପାଇଁ କହିପାରିବେନି ସ୍କୁଲ କର୍ତ୍ତୃପକ୍ଷ । ଏଥି ସହିତ ହିଁ ତାଲାବନ୍ଦ ଅବଧି ଭିତରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ବି ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ଫି ପାଇଁ ସ୍କୁଲରୁ ବାହାର କରିପାରିବେନି ଶିକ୍ଷାନୁଷ୍ଠାନ ମାଲିକ । ଘରୋଇ ସ୍କୁଲମାନଙ୍କରେ ଅଭିଭାବକଙ୍କୁ ନେଇ କୌଣସି ପ୍ରକାରର ସାମୂହିକ ବୈଠକ ମଧ୍ୟ କରାଯିବ ନାହିଁ । ସେହିଭଳି କରୋନା ମହାମାରୀକୁ ନଜରରେ ରଖି ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟମାନଙ୍କରେ ଚାଲିଥିବା ଅନଲାଇନ କ୍ଲାସ ନିମନ୍ତେ ମଧ୍ୟ ଫିସ୍ ଆଦାୟ କରିପାରିବେ ନାହିଁ ଶିକ୍ଷାନୁଷ୍ଠାନ ।